ରାହୁଲ ଗାନ୍ଧିଙ୍କୁ ଭେଟିଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ରାହୁଲ ଗାନ୍ଧିଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ସୂଚନା ମିଳିଛି । ବିଜେପିକୁ ଚେକ୍ ଦେବା ପାଇଁ ସିକ୍ରେଟ୍ ମିଶନ୍ ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧି, କେସି ବେଣୁଗୋପାଳ ଏବଂ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । କିଛି ମାସ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରିଥିଲେ । ଏହା ପରେ ସେ ବିଧାୟକ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, ଗତ ମାସରେ ଏନ୍ସିପି ନେତା ଶରଦ ପାଓ୍ବାରଙ୍କୁ ସହିତ ୩ ଥର ଭେଟ କରିବା ସହିତ ଆଲୋଚନା କରିଥିଲେ ପ୍ରଶାନ୍ତ କିଶୋର । ବୈଠକରେ ବିଜେପି ବିରୋଧୀ ଦଳମାନେ ମଧ୍ୟ ଯୋଗ ଦେଇଥିଲେ । ଶୁଣିବାକୁ ମିଳୁଥିଲା ଯେ, ବିଜେପି ବିପକ୍ଷରେ ତୃତୀୟ ମୋର୍ଚ୍ଚା ଗଢିବା ପାଇଁ ଏକାଠି ହେବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା । ଏନ୍ସିପି ନେତା ଶରଦ ପାଓ୍ବାରଙ୍କ ନେତୃତ୍ବରେ ତିଆରି ହୋଇଥାନ୍ତା ବ୍ଲୁ ପ୍ରିଣ୍ଟ । କିନ୍ତୁ ଗୁପ୍ତ ବୈଠକରେ କଣ ସବୁ ଆଲୋଚନା ହୋଇଥିଲା ଏବଂ ଯୋଜନା ପ୍ରସ୍ତୁତ ହୋଇଥିଲା ତାହା ଜଣାପଡିନଥିବା ବେଳେ କ୍ଷମତାରେ ଥିବା ବିଜେପିକୁ ଚେକ୍ ଦେବାକୁ ଏକ ବଡ ଧରଣର ଯୋଜନା ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି ।
ପ୍ରଶାନ୍ତ କିଶୋରଙ୍କ କଥା କହିବାକୁ ଗଲେ, ସେ ଜଣେ ବିଚକ୍ଷଣ ରାଜନୈତିକ ପରାମର୍ଶଦାତା । ପୂର୍ବରୁ ଅନେକ ବଡ ବଡ ନେତାଙ୍କ ରାଜନୈତିକ ଗୋଟି ଚାଳନାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦିଙ୍କ ସଫଳତା ପଛରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଏହା ବାଦ୍ ତାମିଲନାଡୁରେ ଡିଏମ୍କେ ମେଣ୍ଟ ବିଜୟ ପଛରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର ।