କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ

ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ସମସ୍ତ ଦଳ ନିଜର ସ୍ଥିତିକୁ ସୁଦୃଢ଼ କରିବା ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହି ପ୍ରୟାସରେ ରାଜ୍ୟ କଂଗ୍ରେସ ବିଫଳ ହୋଇଛି। ପ୍ରଥମେ ଦଳର ଚାରି ଚାରି ଜଣ ଛାମୁଆ ନେତା ଦଳରୁ ବିଦାୟ ନେଇଥିବା ବେଳେ ଆଜି ପୁଣି ଏକ ଝଟ୍‌କା କଂଗ୍ରେସକୁ ଲାଗିଛି। ବିଜେପୁର ଉପ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ନେତା ପ୍ରଣୟ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ସେ ସମସ୍ତ ପଦ ଓ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଦଳରେ ଅଣଦେଖା ହୋଇ ରହିଥିବାରୁ ସମ୍ମାନ ଜଗି ଇସ୍ତଫା ଦେଲି ବୋଲି ପ୍ରଣୟ କହିଛନ୍ତି। ଦିନେ କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁରରେ ଦଳ ନେତୃତ୍ୱ ହୀନ ହୋଇପଡ଼ିଛି।

ସୁବଳ ସାହୁଙ୍କ ଦେହାନ୍ତ ପରେ ଗତବର୍ଷ ବିଜେପୁର ବିଧାନସଭା ଉପନିର୍ବାଚନରେ ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ପ୍ରଣୟ ସାହୁ ଏବେ ଦଳ ପ୍ରତି ବିମୁଖ ହୋଇଛନ୍ତି। ସେ ଦଳ ଉପରେ ଅସନ୍ତୋଷ ଜାହିର କରି ଇସ୍ତଫା ଦେଇଛନ୍ତି। ଏହା ପରେ ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନରେ ପରାଜୟର କାରଣ ସମୀକ୍ଷା କରିବା ପାଇଁ ଦଳକୁ ପରାମର୍ଶ ଦେଇଥିଲେ କିନ୍ତୁ ଦଳ ଏହାକୁ ଅଣ ଦେଖା କଲା ଓ ସମୀକ୍ଷା ହେଲା ନାହିଁ। କଂଗ୍ରେସ ପୁନର୍ବିନ୍ୟାସରେ ମଧ୍ୟ ତାଙ୍କର କିଛି ଭୂମିକା ରହିଲାନି, ତେଣୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ପ୍ରଣୟ ସାହୁ ବିଜେଡ଼ିରେ ମିଶିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ବିଜେଡିରୁ ତାଙ୍କୁ ପ୍ରସ୍ତାବ ମିଳିଛି। ବିଜେଡ଼ିରେ ମିଶାଇବା ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ସେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି।

ଏହା ପୂର୍ବରୁ ମଧ୍ୟ କଂଗ୍ରେସର ୪ଜଣ ବରିଷ୍ଠ ନେତା ଯୋଗେଶ ସିଂ, ନବ ଦାସ, ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସଗରିଆ ଦଳରୁ ବିଦାୟ ନେଇଛନ୍ତି । ନବ ଦାସ ଓ ଯୋଗେଶ ସିଂ ନିଜ ତରଫରୁ ଇସ୍ତଫା ଦେଇଥିବାବେଳେ ଶ୍ରୀକାନ୍ତ ଓ କୃଷ୍ଣ ସଗରିଆଙ୍କୁ ଦଳରୁ ବହିଷ୍କାର କରାଯାଇଛି ।  

Leave a Reply

Your email address will not be published. Required fields are marked *