ଭାରତୀୟ ବୀର ଯୋଦ୍ଧା : କାରିଅପ୍ପାଙ୍କଠାରୁ ଅଭିନନ୍ଦନଙ୍କ ପର୍ଯ୍ୟନ୍ତ

ବୀର ଯୋଦ୍ଧା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ବୀରତ୍ୱକୁ ସମଗ୍ର ଦେଶ ଆଜି ସଲାମ କରୁଛି। ପାକିସ୍ତାନରୁ ମୁକ୍ତ ହେବା ପରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ୱାଘା-ଅଟାରି ସୀମାରେ ଶୁକ୍ରବାର ବଡ଼ ଜନସମାଗମ ଦେଖିବାକୁ ମିଳିଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ ଏପରି ଅନେକ ବୀର ଯୋଦ୍ଧା ଅଛନ୍ତି ଯେଉଁମାନଙ୍କୁ ପାକିସ୍ତାନ ଯୁଦ୍ଧବନ୍ଦୀ କରିଥିଲା ଏବଂ ଜେନେଭା ବୁଝାମଣା ଅନ୍ତର୍ଗତ ଛାଡ଼ିଥିଲା।

୧୯୬୫ ମସିହାରେ ହୋଇଥିବା ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ସେପ୍ଟେମ୍ୱର ୨୨,୧୯୬୫ରେ କେଏମ କାରିଅପ୍ପାଙ୍କୁ ଯୁଦ୍ଧବନ୍ଦୀକରି ଥିଲା। ପ୍ରିଜନର ଅଫ ୱାରସେଲରେ ତାଙ୍କୁ ରଖିବା ପୂର୍ବରୁ ପାକିସ୍ତାନ ୮ ସପ୍ତାହ ପର୍ଯ୍ୟନ୍ତ କାରିଅପ୍ପାଙ୍କୁ ଏକାନ୍ତରେ ରଖିଥିଲା। ପରେ ତାଙ୍କୁ ଛାଡ଼ିଥିଲା।

ସେହି ୧୯୬୫ ମସିହା ଯୁଦ୍ଧ ସମୟରେ ପୂର୍ବତନ ସ୍କ୍ୱାର୍ଡନ ଲିଡର ବୃଜପାଲ ସିଂହଙ୍କୁ ପାକିସ୍ତାନୀ ସୈନିକମାନେ ପାକ ସୀମାରୁ ଧରିଥିଲେ। ଯୁଦ୍ଧ ସମୟରେ ସେ ଏକ ଜିନାଟବିମାନ ଉଡ଼ାଉଥିଲେ। ପରେ ଜେନେଭା ଚୁକ୍ତି ଅନୁସାରେ ତାଙ୍କୁ ଛଡ଼ା ଯାଇଥିଲା।

ଅବସରପ୍ରାପ୍ତ ଏୟାର ଭାଇସ ମାର୍ଶଲ ଆଦିତ୍ୟ ବିକ୍ରମ ପେଠିୟା ୧୯୭୧ଯୁଦ୍ଧ ସମୟରେ ପାକିସ୍ତାନରେ ଯୁଦ୍ଧବନ୍ଦୀ ହୋଇଥିଲେ। ସେ ୫ମାସ ପର୍ଯ୍ୟନ୍ତ ଯୁଦ୍ଧବନ୍ଦୀ ରହିଥିଲେ। ଏହି ସମୟରେ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା। ଆଜିବି ତାଙ୍କ ମନରେ ଏହି ଘଟଣାକୁ ନେଇ କ୍ରୋଧ ଦେଖିବାକୁ ମିଳେ।

କାରଗିଲ ଯୁଦ୍ଧ ସମୟରେ ୨୭ ମେ’ ୧୯୯୯ରେ ଲେଫ୍ଟନାଣ୍ଟ ଜେନେରାଲ କେ. ନଚିକେତା ମିଗ ୨୭ରେ ଶତ୍ରୁଙ୍କ ଶିବିର ଉପରେଆକ୍ରମଣ କରିଥିଲେ। ଏହି ସମୟରେ ହଠାତ୍ ବିମାନର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ବାଧ୍ୟରେ ସେ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ। ଆଉ ପାକ ସେନା ହାତରେ ଧରାପଡ଼ିଥିଲେ। ୮ ଦିନ ଯୁଦ୍ଧବନ୍ଦୀ ରହିବା ପରେ ତାଙ୍କୁ ଛାଡ଼ିଥିଲା ପାକିସ୍ତାନ।
ଜେନେଭା ଚୁକ୍ତି ଯୁଦ୍ଧ ସମୟରେ ଯଦି କୌଣସି ସୈନିକ ଶତ୍ରୁ ଦେଶର ସୀମାରେ ଦାଖଲ ହୁଏ ଏବଂ ତାଙ୍କୁ ଗିରଫ କରାଯାଏ, ତେବେ ତାଙ୍କୁ ଯୁଦ୍ଧବନ୍ଦୀ କୁହାଯାଏ। ଯୁଦ୍ଧବନ୍ଦୀଙ୍କ ଅଧିକାରଙ୍କୁ ଅବ୍ୟାହତ ରଖିବା ପାଇଁ ଜେନେଭା ବୁଝାମଣା ଅନ୍ତର୍ଗତ ଚାରଟି ସନ୍ଧି ଏବଂ ତିନୋଟି ଅତିରିକ୍ତ ପ୍ରୋଟୋକଲ ସାମିଲ ରହିଛି।
ଏହାର ଉଦ୍ଦେଶ୍ୟ ହେଉଛି, ଯୁଦ୍ଧ ସମୟରେ ମାନବୀୟ ମୂଲ୍ୟବୋଧକୁ ବଜାୟ ରଖିବା। ସେଥିପାଇଁ ଏକ ଆଇନ ତିଆରି କରାଯାଇଥିଲା। ପ୍ରଥମ ସନ୍ଧି ୧୮୬୪ ଏବଂ ଦ୍ୱିତୀୟ ଓ ତୃତୀୟ ସନ୍ଧି ୧୯୦୬ ଏବଂ ୧୯୨୯ରେ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୯ରେ ୧୯୪ ଦେଶ ମିଶି ଚତୁର୍ଥ ସନ୍ଧି ପ୍ରସ୍ତୁତ କରିଥିଲେ। ଜେନେଭା ବୁଝାମଣା ଅନ୍ତର୍ଗତ ଯୁଦ୍ଧ ସମୟରେ ଗିରଫ ସୈନିକ ଏବଂ ଆହତଙ୍କ ବ୍ୟକ୍ତିଙ୍କୁ କିପରି ବ୍ୟବହାର କରାଯିବ ସେନେଇ ନିର୍ଦ୍ଦିଷ୍ଟ ଦିଗ ନିର୍ଦ୍ଦେଶ ରହିଛି।
ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଯୁଦ୍ଧବନ୍ଦୀଙ୍କ ସହ କୌଣସି ପ୍ରକାରେ ଅମାନବୀୟ ଏବଂ ନିଷ୍ଠୁରତାପୂର୍ଣ୍ଣ ବ୍ୟବହାର କରାଯାଇପାରିବ ନାହିଁ। ଏଥିସହ ସେମାନଙ୍କୁ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ। ଏଥିସହ ସୈନିକଙ୍କୁ ଆଇନଗତ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଜେନେଭା ସନ୍ଧି ଅନୁସାରେ କୌଣସି ଯୁଦ୍ଧବନ୍ଦୀଙ୍କୁ ଡରା ଯିବ ନାହିଁ କି ତଥ୍ୟ ହାସଲ ପାଇଁ ଧମକା ଯାଇପାରିବ ନାହିଁ। ସେମାନଙ୍କୁ ଅପମାନିତ କରାଯାଇପାରିବ ନାହିଁ। ଯୁଦ୍ଧ ପରେ ବନ୍ଦୀ ରଖିଥିବା ସୈନିକଙ୍କୁ ସେହି ଦେଶ ସକୁଶଳେ ସୈନିକଙ୍କ ଦେଶକୁ ପଠାଇବ। ଯୁଦ୍ଧବନ୍ଦୀଙ୍କୁ କେବଳ ଉକ୍ତ ଦେଶ ସେମାନଙ୍କ ନାମ, ପଦ, ନମ୍ୱର ଏବଂ ୟୁନିଟି ସମ୍ପର୍କରେ ପଚାରିପାରିବ।