୩ କୋଭିଡ ଟେଷ୍ଟିଂ ସେଣ୍ଟରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୨୭ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚ ଶ୍ରେଣୀ ଯୁକ୍ତ ୩ଟି କୋଭିଡ ଟେଷ୍ଟିଂ ସେଣ୍ଟରର ଶୁଭାରମ୍ଭ କରିବେ ।
ଯାହା ଦେଶରେ କରୋନା ଭାଇରସ୍ ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ ।
ଏହି ୩ଟି ଟେଷ୍ଟିଂ ସେଣ୍ଟର ଆଇସିଏମଆର୍ ନୋଏଡା, ମୁମ୍ବାଇ ଓ କୋଲକାତାରେ ଆରମ୍ଭ କରାଯିବ । ପ୍ରତିଟି କେନ୍ଦ୍ରରେ ଗୋଟିଏ ଦିନରେ ୧୦ ହଜାର ନମୁନା ପରୀକ୍ଷା କରା ଯିବାର କ୍ଷମତା ରହିଛି । ଏହି ଲ୍ୟାବ୍ ଗୁଡିକରେ କରୋନା ବ୍ୟତିତ ଅନ୍ୟ ରୋଗର ଯାଞ୍ଚ ମଧ୍ୟ କରାଯାଇ ପାରିବ ।
ସୂଚନାନୁଯାୟୀ, କରୋନା ମହାମାରୀର ବିନାଶ ହେବା ପରେ ହେପାଟାଇସ୍ ବି ଓ ସି, ଏଚଆଇଭି, ଡେଙ୍ଗୁ ସମେତ ଅନ୍ୟ ବେମାରୀର ଯାଞ୍ଚ କରାଯିବ ଏଠାରେ ।
ଏହି କୋଭିଡ ସେଣ୍ଟରର ଉଦଘାଟନୀ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସାମିଲ ରହିବେ ।
ଭାରତରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ମୋଟ୍ ୧୪ ଲକ୍ଷରୁ ଅଧିକ ଲୋକ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଯେତେବେଳେ କି ୩୨ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।