ରେଲୱେ ଇତିହାସରେ ପ୍ରଥମଥର ଏକାଥରେ ଗୋଟିଏ ସ୍ଥାନକୁ ୮ଟି ଟ୍ରେନର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ମକ୍ଷେତ୍ର ବାରାଣାସୀରୁ ତାଙ୍କ ଗୃହ ରାଜ୍ୟ ଗୁଜରାଟ କେବଡିୟାକୁ ଯୋଡିବା ପାଇଁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ମୋଦି ନିଜେ ଜାନୁଆରୀ ୧୭ ତାରିଖରେ ଏହାର ଶୁଭାରମ୍ଭ କରିଛନ୍ତି। ରବିବାର ଦିନ ମୋଦି ଗୁଜରାଟ କେବଡିୟା ସ୍ଥିତ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ସବୁଠାରୁ ଉଚ୍ଚତମ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୂନିଟି ଯାଏଁ ଯିବାଆସିବା ପାଇଁ ୮ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଦଭୋଇ-ଚାନଚୋଡ୍ ଗେଜ୍ ପରିବର୍ତ୍ତନ, ଚାନଚୋଡ୍-କେଭାଡିଆ ଗେଜ୍ ପରିବର୍ତ୍ତନ ନବନିର୍ମିତ ପ୍ରତାପନଗର-କେଭାଡିଆ ବିଭାଗକୁ ବିଦ୍ୟୁତକରଣ କରି ଦଭୋଇ-ଚାନଚୋଡ୍ ଏବଂ କେଭାଡିଆ ଷ୍ଟେସନରେ ନୂତନ ଅଟ୍ଟାଳିକା ଉଦଘାଟନ କରିଛନ୍ତି।

ଏହିସବୁ ଟ୍ରେନ କେବଡିୟାକୁ ବାରାଣାସୀ, ଦାଦର, ଅହମଦାବାଦ, ହଜରତ ନିଜାମୁଦ୍ଦିନ, ରିବା, ଚେନ୍ନାଇ ଓ ପ୍ରତାପନଗର ସହ ଯୋଡିବ। ଏହି ପ୍ରକଳ୍ପ ଯୋଗୁଁ ନିକଟବର୍ତ୍ତୀ ଅଞ୍ଚଳରେ ବିକାଶମୂଳା କାର୍ଯ୍ୟ ହେବ, ନର୍ମଦା ନଦୀ ତଟରେ ଅବସ୍ଥିତ ଧାର୍ମିକ ଓ ପ୍ରାଚୀନ ତୀର୍ଥସ୍ଥଳୀ ମଧ୍ୟ ସମ୍ପର୍କ ସ୍ଥାପନ ହୋଇପାରିବ। ଘରୋଇ ଓ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ଏହି ଅଞ୍ଚଳ ସାମାଜିକ-ଆର୍ଥିକ ବିକାଶ ପାଇଁ ମହତ୍ତ୍ୱପୂର୍ଣ୍ଣ ପ୍ରମାଣିତ ହେବ।

ଟ୍ରେନ ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରେଲୱେ ଇତିହାସରେ ସମ୍ଭବତଃ ପ୍ରଥମଥର ଦେଶର ବିଭିନ୍ନ କୋଣରୁ ଗୋଟିଏ ଜାଗାକୁ ଏତେ ଟ୍ରେନର ଶୁଭାରମ୍ଭ ହୋଇଛି।

ଆମେରିକା ସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ନେଇ ମୋଦି କହିଛନ୍ତି, କେବଡିୟାରେ ଷ୍ଟାଚ୍ୟୁ ଅଫ୍ ୟୂନିଟି ଦେଖିବାକୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟିରୁ ବି ଅଧିକ ପର୍ଯ୍ୟଟକ ଆସୁଛନ୍ତି। ଲୋକାର୍ପଣ ପରେ ପାଖାପାଖି ୫୦ ଲକ୍ଷ ପର୍ଯ୍ୟଟକ ଷ୍ଟାଚ୍ୟୁ ଅଫ୍ ୟୂନିଟି ଦେଖିବାକୁ ଆସିଛନ୍ତି।

Leave a Reply

Your email address will not be published. Required fields are marked *