+୨ ନାମଲେଖା ଲାଗି ଆଜିଠୁ ଆବେଦନ: ସେପ୍ଟେମ୍ବର ୫ ଯାଏଁ ଶେଷ ତାରିଖ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ଆବେଦନ କରିପାରିବେ। ଏଥିପାଇଁ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆବେଦନପତ୍ର ମିଳିବ। ସେପ୍ଟେମ୍ବର ୫ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି। ୧୩ ସେପ୍ଟେମ୍ବର ପୂର୍ବାହ୍ନ ୧୧.୩୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ଥିବା ଛାତ୍ରଛାତ୍ରୀ ୧୪ ରୁ ୨୧ ସେପ୍ଟେମ୍ବର ମଧ୍ୟରେ ନାମ ଲେଖାଇବେ।

ସେହିପରି ୨୭ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ୨୯ ସେପ୍ଟମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏହି ପିଲାମାନେ ନାମ ଲେଖାଇବେ। ୪ ଅକ୍ଟୋବରରେ ତତ୍ କ୍ଷଣାତ ମନୋନୟନ ବା ସ୍ପଟ ସିଲେକସନ ମେଧା ତାଲିକା ପ୍ରକାଶ ପାଇବ। ଦ୍ବିତୀୟ ନାମଲେଖା ପରେ ବଳକା ଥିବା ସିଟ୍ ପାଇଁ ତିନିଗୁଣା ଛାତ୍ରଛାତ୍ରୀଙ୍କୁ ଡକାଯିବ। କରୋନା ପାଇଁ ନାମଲେଖା ଦେୟ ବୃଦ୍ଧି ହେବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ। ଏହା ସହିତ ଏଥର ଯୁକ୍ତ ଦୁଇରେ ସିଟ୍ ସଂଖ୍ୟା ବଢ଼ା ଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେପଟେ କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା। କିନ୍ତୁ ୩୮ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି। ବିଜ୍ଞାନରେ ୨୫ ହଜାର ସିଟ୍ ବଢ଼ାଇବାକୁ ଆବେଦନ ହୋଇଥିଲା। କିନ୍ତୁ ୧୩ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି। ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି କରିବାକୁ ଆବେଦନ ହୋଇଥିବା ବେଳେ ୩ ହଜାର୯୦୦ଟି ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି। ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ ଶହ ସିଟ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *