ଚିନ୍ତାଜନକ ପ୍ଲାଷ୍ଟିକ ପୋଷ୍ଟର ପ୍ରଦୂଷଣ
ଆସନ୍ତା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଚାର ସାମଗ୍ରୀ ଲାଗି ବ୍ୟାପକ ପରିମାଣରେ ପଲିଥିନ୍ ଓ ପ୍ଲାଷ୍ଟିକ ସମାଗ୍ରୀ ବ୍ୟବହାରକୁ ନେଇ କେନ୍ଦ୍ର ସରକାର ଚିନ୍ତିତ । ୨୦୨୨ ସୁଦ୍ଧା ପୁନଃ ପକ୍ରିୟାକରଣ ପ୍ଲାଷ୍ଟିକ ବ୍ୟବହାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ସ୍ଥିର କରିଥିବାବେଳେ ଆସନ୍ତା ନିର୍ବାଚନରେ ବିଭିନ୍ନ ପ୍ରଚାର ପ୍ଲାଷ୍ଟିକ ନିର୍ମିତ ପ୍ରଚାର ସାମଗ୍ରୀ ବିଶେଷକରି ପୋଷ୍ଟର, କଟଆଉଟ୍, ହୋର୍ଡିଂ ଏବଂ ରାଜନୈତିକ ବିଜ୍ଞାପନରେ ବ୍ୟାପକ ଭାବେ ବ୍ୟବହାର ହେବ ।
ନିର୍ବାଚନ ପରେ ଏହି ପ୍ରଚାର ସାମଗ୍ରୀ ଗୁଡିକ ବର୍ଜ୍ୟବସ୍ତୁ ଭାବେ ଏଣେ ତେଣେ ପଡିବ ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ସଚିବ ସି.କେ.ମିଶ୍ର ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କୁ ଏହି ମର୍ମରେ ପତ୍ରଲେଖି ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ୨୦୨୦ ସୁଦ୍ଧା ଏଭଳି ପ୍ଲାଷ୍ଟିକ ସାମଗ୍ରୀକୁ ନିଷିଦ୍ଧ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ପରେ ପଡିବାକୁ ଥିବା ପ୍ଲାଷ୍ଟିକ ସାମଗ୍ରୀ ଗୁଡିକର ପୁନଃ ପ୍ରକ୍ରିୟାକରଣ ହୋଇପାରିବନାହିଁ ବୋଲି ସମସ୍ତେ ଭଲଭାବେ ଅବଗତ ।
ପୂର୍ବରୁ ମଧ୍ୟ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ପର୍ଯ୍ୟାୟକ୍ରମେ ଏଭଳି ପଲିଥିନ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଅନୁରୋଧ କରିଛନ୍ତି । ଆଗାମୀ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସଚିବ ଶ୍ରୀ ମିଶ୍ର ପୁଣି ଥରେ ଅନୁରୋଧକୁ ଦୋହରାଇଛନ୍ତି ।
ସେ କହିଛନ୍ତି ଯେ ଏଭଳି ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀ ଗୁଡିକୁ ନିର୍ବାଚନ ପରେ ସଂଗ୍ରହ କରାଯାଉ ନଥିବାରୁ ତାହା ଡ୍ରେନେଜ ଏପରିକି ନଦୀଜଳ ପ୍ରବାହକୁ ଜାମ୍ କରିଦେଇଥାଏ । ପଶୁମାନେ ଏହାଦ୍ୱାରା ପ୍ରଭାବିତ ହେଉଥିବାବେଳେ ଉଭୟ ଜମି ଓ ଜଳ ପ୍ରଦୂଷିତ ହୋଇଥାଏ । ଏହାର କୁପ୍ରଭାବ ମଣିଷଙ୍କ ଉପରେ ବି ପଡିଥାଏ ।
କେନ୍ଦ୍ରୀୟ ସଚିବ ଦର୍ଶାଇଛନ୍ତି ଯେ କେତେକ ପ୍ରଚାର ସାମଗ୍ରୀ ପ୍ଲାଷ୍ଟିକ ପଲି ଭିନାଇଲ୍ (ପିଭିସି)ରେ ରେ ତିଆରି ହେଉଥିବାରୁ ଏହା ଜଳିବା ସମୟରେ ପରିବେଶକୁ ବିଷାକ୍ତ କରିଥାଏ । ପ୍ଲାଷ୍ଟିକ ବଦଳରେ ନିର୍ବାଚନ ପ୍ରଚାର ଲାଗି ଅନେକ ବିକଳ୍ପ ରହିଛି ।
ବିଶେଷକରି ବିଘଟନ ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ, ପ୍ରାକୃତିକ ଫାବ୍ରିକ୍ସ, ପୁନଃ ବ୍ୟବହୃତ କାଗଜ ତିଆରି ସାମଗ୍ରୀ ଦ୍ୱାରା ପରିବେଶକୁ ସୁରକ୍ଷିତ କରାଯାଇ ପାରିବ । ଏଥିପାଇଁ ଏହିସବୁ ସାମଗ୍ରୀର ବହୁଳ ବ୍ୟବହାର ଉପରେ ଜୋର ଦେବାକୁ କେନ୍ଦ୍ରୀୟ ସଚିବ କହିଛନ୍ତି ।
ଆସନ୍ତା ନିର୍ବାଚନରେ ପରିବେଶ ଦୃଷ୍ଟିରୁ ବିଭିନ୍ନ ପରିବର୍ତ୍ତନର ବିଶେଷ ସୁଯୋଗ ଥିବା ସେ କହିଛନ୍ତି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୧୩୦ କୋଟି ଭାରତବାସୀଙ୍କୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ଏଭଳି ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତିପାଇଁ ସମସ୍ତେ ହାତ ମିଳାଇବାକୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ନିଷିଦ୍ଧ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ପୂରଣ ପାଇଁ ସମେସ୍ତ ମିଳିମିଶି କାର୍ଯ୍ୟ କରିବାକୁ କେନ୍ଦ୍ରୀୟ ସଚିବ କହିଛନ୍ତି ।