ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ପୀତାମ୍ୱର
ବାମନ ଯେତେବେଳେ ବଟବୃକ୍ଷକୁ ଉପାଡ଼ିବା ପାଇଁ ଗଛକୁ ଦୋହଲେଇ ଥାଏ ସାଧାରଣତଃ ଲୋକେ ହସିଥାନ୍ତି। ହେଲେ ଯଦି ବର ଗଛଟିର ଚେର ଦୁର୍ବଳ ହୋଇଯାଇଥାଏ, ଆଉ ବାମନ କିଛି ବଳ ପ୍ରୟୋଗ କରିବା ସହ ବୁଦ୍ଧି ଖଟାଏ ନିଶ୍ଚୟ ଗଛଟି ଉପୁଡିଯାଇପାରେ। ଏମିତି ଦୃଶ୍ୟର ଆଭାସ ମିଳୁଛି ଏବେ ମୁଖ୍ୟମନ୍ତ୍ରୀଙ୍କ ଗଡ ହିଞ୍ଜିଳି ବିଧାନସଭା ଆସନରୁ।
ବିଗତ ଚାରି ଚାରି ଥର ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତି ଆସୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଯଦି କେହି ଏଥର ଚ୍ୟାଲେଞ୍ଜ ଦେଇଛି ସେ ହେଉଛନ୍ତି ବିଜେପିର ପୀତାମ୍ୱର ଆଚାର୍ଯ୍ୟ। ପ୍ରଥମ କରି ଯେତେବେଳେ ୨୦୦୦ମସିହାରେ ନବୀନ ପଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ, ସେତେବେଳେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ୨୦୦୪ରେ ବି ନବୀନ ମେଣ୍ଟ ଗାଡିରେ ବସି ବିଧାନସଭାକୁ ଆସିଥିଲେ।

କିନ୍ତୁ ୨୦୦୯ ମସିହାରେ ନବୀନ ଏକାକି ଓହ୍ଲାଇଥିଲେ ନିର୍ବାଚନୀ ମଇଦାନକୁ। ୭୨୯୪୨ ଖଣ୍ଡ ଭୋଟ ପାଇ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଅର୍ଥାତ ଦୁଇଟି ଜାତୀୟ ଦଳର ପ୍ରାର୍ଥୀଙ୍କୁ ନିର୍ବାଚନୀ ଦୌଡରେ ବହୁ ପଛରେ ପକାଇଦେଇଥିଲେ। ୨୦୧୪ରେ ବି ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା। ନବୀନ ୮୯୨୬୭ ଖଣ୍ଡ ଭୋଟ ପାଇ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିପୁଳ ଭୋଟରେ ପରାସ୍ତ କରିଥିଲେ। ଏହା ନବୀନଙ୍କ ଅପ୍ରତିଦ୍ୱନ୍ଦିତାକୁ ସ୍ପଷ୍ଟ ଦେଖାଉଛି।
ଦୁଇ ଦଳର ପ୍ରାର୍ଥି ହେଉଥିବା ବ୍ୟକ୍ତିମାନେ କେବଳ ନାମକୁ ମାତ୍ର ପ୍ରତିଦ୍ୱନ୍ଦ୍ୱୀ ରହିଥିଲେ। ବାସ୍ତବିକତା ସଂପୂର୍ଣ୍ଣ ଭିନ୍ନ ରହିଥିଲା। ଗତ ଦୁଇଥର ନିର୍ବାଚନରେ ନବୀନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱୀତା ହିଁ ଦେଖିବାକୁ ମିଳିନି। ଅର୍ଥାତ ନବୀନଙ୍କର ଗତ ଦଶ ବର୍ଷ ହେଲା କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ। ନାମକୁ ମାତ୍ର ଯିଏବି ଥିଲେ, ସେମାନେ ନବୀନଙ୍କ ନିକଟତର ହୋଇପାରିନଥିଲେ। ଏପରିକି ସେମାନେ ପ୍ରଚାର କରିବା ଅବସ୍ଥାରେ ବି ନଥିଲେ। ନା ଥିଲା ସାମର୍ଥ୍ୟ, ନା ଥିଲା ସମର୍ଥନ।

କିନ୍ତୁ ଚଳିତ ଥର ନିର୍ବାଚନରେ ହିଞ୍ଜିଳି ବରଗଛରେ ଉଇ ଲାଗିଯାଇ ଚେରକୁ ଦୁର୍ବଳ କରିଦେଇଛନ୍ତି। ଆଉ ଏହି ଦୁର୍ବଳ ସ୍ଥିତିର ଫାଇଦା ନେବାକୁ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ପୀତାମ୍ୱର ଆଚାର୍ଯ୍ୟ। ଯିଏ ସେ ଅଞ୍ଚଳର ନୁହନ୍ତି, ଆଗରୁ କେବେ ହିଞ୍ଜିଳି ଯାଇନଥିଲେ। କେହି ବି ଜାଣିନଥିଲେ ତାଙ୍କୁ ସେଠି। ସେ କଟକର ସଂସଦୀୟ କ୍ଷେତ୍ରରୁ ନିର୍ବାଚନକୁ ଓହ୍ଲାଇବେ ବୋଲି ଦଳ ତାଙ୍କୁ ଏକ ପ୍ରକାର ସବୁଜ ସଂକେତ ଦେଇସାରିଥିଲା। ଅକସ୍ମାତ୍ ବିଜେପି ତାଙ୍କୁ ଯେମିତି ହିଞ୍ଜିଳିରେ ଠିଆ କରାଇଛି କେହି ଭାବିନଥିଲେ ଯେ, କଟକର ଜଣେ ଆଡଭୋକେଟ ୧୯ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେବେ।
କାଳିଆ ଯୋଜନା ହିଁ କୁରାଢ଼ୀ ହୋଇଛି
ମୁଖ୍ୟମନ୍ତ୍ରୀ ନିଜେ କୃଷକମାନଙ୍କ ଲାଗି ପ୍ରଣୟନ କରିଥିବା କାଳିଆ ଯୋଜନା ହିଁ କୁରାଢ଼ୀ ବନି ତାଙ୍କ ଗୋଡରେ ଚୋଟ ମାରିଛି। ଆଉ ଏହି ପରିସ୍ଥିତିର ଭରପୂର ଫାଇଦା ଉଠେଇବେ ପୀତାମ୍ୱର। କାରଣ ହେଉଛି ପ୍ରଥମେ ହିଞ୍ଜିଳିରେ ମାତ୍ର ୧୦ ପ୍ରତିଶତ ଚାଷୀଙ୍କୁ କାଳିଆ ଟଙ୍କା ମିଳିଛି। ଯାହାର ରାଗ ସାଧାରଣରେ ଭିତରେଭିତରେ ନିଆଁ ଭଳି କୁହୁଳୁଛି। ଦ୍ୱିତୀୟରେ ଅଫିସର ରାଜ୍ର ଲମ୍ୱା ଶାସନରେ ଲୋକେ କ୍ଷୀପ୍ତ ଅଛନ୍ତି ନବୀନଙ୍କ ଉପରେ। ଆଉ ଗତ ଦୁଇ ସପ୍ତାହ ହେଲାଣି ପୀତାମ୍ୱର ଡେରା ପକେଇଛନ୍ତି ହିଞ୍ଜିଳିରେ। ଘର ଘର ବୁଲି ସାଧାରଣ ଲୋକଙ୍କ ସହ ମିଶୁଛନ୍ତି। ହେଲେ ନାମାଙ୍କନ ଭରିବା ପରେ ନବୀନଙ୍କୁ ଆଉ ଦେଖିନାହାନ୍ତି ହିଞ୍ଜିଳିବାସୀ। ଗତ ୨୦ ବର୍ଷ ହେଲାଣି ବି ନବୀନ ସମାନ କଥା କରିଆସୁଛନ୍ତି। ଦୁଇ ରାଗର ଫାଇଦା ଉଠେଇବା ସହ ଦକ୍ଷିଣ ଓଡ଼ିଶାରୁ ଆସୁଥିବା ମୋଦୀ ହାୱା ନବୀନଙ୍କୁ କଡ୍ଡା ଟକ୍କର ଦେବାରେ ପୀତାମ୍ୱରଙ୍କୁ ଅନୁକୂଳ ହେବ।
ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୀତିକ ଆକ୍ରୋଶ

ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୀତିକ ଆକ୍ରୋଶ ବଢ଼ି ଚାଲିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀମାନେ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି।
ନବୀନଙ୍କ ଯିବା ବାଟରେ କୌଣସି ଠାରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍ ନ ଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି କର୍ମୀ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ ଶେରଗଡ଼ ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ ଏସ୍ଟିଏଫ୍ ଡିଆଇଜି ଆଶିଷ ସିଂ ଓ ବରିଷ୍ଠ ପୁଲିସ୍ ଅଧିକାରୀ ଡି.ଏସ୍.କୁଟ୍ଟେଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ତେବେ ସଞ୍ଜୟ ପ୍ରଥମେ ଏନେଇ ଥାନାରେ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ପରେ ବିଳମ୍ବରେ ସେଠାକାର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ସାଢ଼େ ୩ଘଣ୍ଟା ଧରି ଥାନାରେ ରହି ଏଫ୍ଆଇଆର୍ ରଖିବା ପାଇଁ ଅଡ଼ି ବସିଥିଲେ। ଶେଷରେ ପୁଲିସ୍ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା। ଆଇପିସିର ଧାରା ୧୪୭, ୧୪୮, ୨୯୪ ଓ ୪୨୭, ୫୦୬, ୧୪୯ ଓ ଆର୍ମସ୍ ଆକ୍ଟର ୨୫ ଓ ୨୭ ଅନୁସାରେ ଶେରଗଡ଼ ଥାନାରେ ଏ ସମ୍ପର୍କରେ କେସ୍ ନମ୍ବର ୩୨ରେ ମାମଲା ରୁଜୁ ହୋଇଛି।