ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା ହାଇକୋର୍ଟରେ


ଭୁବନେଶ୍ଵର,(ଓଟି): ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଅପିଲ କରିଛି । ପୂର୍ବରୁ ତଳକୋର୍ଟରେ ୨ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଘଟଣାକୁ ନେଇ ରାଜ୍ୟ ତମାମ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏମିତିକି କ୍ରାଇମବ୍ରାଞ୍ଚର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଥିଲା।

ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଦୋଷମୁକ୍ତ କରିଥିଲେ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ। କୋର୍ଟଙ୍କ ରାୟ ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ମନ୍ତ୍ରୀଙ୍କ ପଦ ମଧ୍ୟ ଯାଇଥିଲା।

୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲି ଅର୍ଜୁନଗଦା ନିକଟ ବିଲ ଭିତରୁ ପୀଡ଼ିତାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦୁଷ୍କର୍ମ ସହ ହତ୍ୟା ଲାଗି ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

୨୦୧୨ ଜୁନ ୨୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାକୁ ରଫାଦଫା କରିବା ଲାଗି ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ ଚାପ ପକାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତାଙ୍କୁ ସେତେବେଳେ ମନ୍ତ୍ରୀପଦ ହରାଇବାକୁ ବି ପଡ଼ିଥିଲା। ସେହିପରି ମାମଲା ରୁଜୁ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତତ୍କାଳୀନ ପିପିଲି ଥାନା ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ପରେ ଅବଶ୍ୟ ସେ ଚାକିରିରେ ପୁନଃଅବସ୍ଥାପିତ ହୋଇଥିଲେ।

Leave a Reply

Your email address will not be published. Required fields are marked *