ଅଣସର ଘରେ ଜ୍ୱରରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରି ତେଲ

ପୁରୀ,(ଓଡ଼ିଶା ଟାଇମ୍):ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ। ଅଣସର ଗୃହରେ ଦଇତାପତି ଓ ପତି ମହାପାତ୍ରଙ୍କ ଦ୍ୱାରା ଗୁପ୍ତସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଫୁଲୁରି ତେଲ ଲାଗି କରାଯିବ।

ତେବେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡ଼ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗାଯାଇଥାଏ । ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତ କରାଯାଇଥିବା ଏହି ଫୁଲୁରୀ ତେଲକୁ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଅଣାଯିବ। ପରେ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରୀରରେ ଲେପନ କରାଯିବ । ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ମାଟିତଳୁ ତେଲକୁ ବାହାର କରାଯାଇ ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ।

ଏହାପରେ ବଡ଼ଓଡ଼ିଆ ମଠର ସଦସ୍ୟ ମାନେ ପ୍ରାୟ ୬ ସେର ଫୁଲୁରି ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି। ମଧ୍ୟାହ୍ନଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବାପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଦ୍ୱାର ଖୋଲାଯାଇ ପତି ମହାପାତ୍ର ୩ଟି ରୂପା ପିଙ୍ଗଣରେ ଫୁଲୁରି ତେଲକୁ ନେଇ ସଂସ୍କାର କରିଥାନ୍ତି । ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ବିଶ୍ୱାସ ରହିଛି ଏହି ଫୁଲୁରି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କଲେ ଶରୀରର ପୀଡ଼ା କମ ହୋଇଥାଏ। ଆୟୁର୍ବେଦ ଜଡ଼ିବୁଟିରେ ପ୍ରସ୍ତୁତ ଫୁଲୁରି ତେଲ ମହାପ୍ରଭୁଙ୍କୁ ଲାଗି ପରେ ମହାପ୍ରଭୁ ଜରରୁ ଉପଶମ ପାଇବେ ।

Leave a Reply

Your email address will not be published. Required fields are marked *