ଅକ୍ସଫୋର୍ଡ କୋଭଡି୧୯ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ ଅକ୍ସଫୋର୍ଡ ୟୁନିର୍ଭସିଟି ଦ୍ୱାରା ବିକଶିତ ହୋଇଥିବା କରୋନା ଭାଇରସ୍ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ମାନବ କ୍ଲିନିକାଲ୍ ଟ୍ରାଏଲ୍ ଆଜିଠୁ ଆରମ୍ଭ କରାଯାଉଛି ।

‘କୋବିଶୀଲ୍ଡ’ର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା ସମ୍ପର୍କରେ ଯାଞ୍ଚ କରିବା ଲାଗି ପୁଣେ ସ୍ଥିତ ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ସୁସ୍ଥ ବୟସ୍କ ଲୋକଙ୍କ ଉପରେ ଏହାର ଅଧ୍ୟୟନ କରାଯିବା ନେଇ ସୁତ୍ରରୁ ପ୍ରକାଶ ।

ଅକ୍ସଫୋର୍ଡ ୟୁନିର୍ଭସିଟି ଦ୍ୱାରା ବ୍ରିଟିଶ-ସ୍ୱେଡିସ୍ କମ୍ପାନୀ ଏଷ୍ଟ୍ରାଜୋନକା ଲାଗି ବିକଶିତ ସମ୍ଭାବ୍ୟ କୋଭିଡ-୧୯ ଟିକାର ଉତ୍ପାଦନରେ ଏସଆଇଆଇ ପାଟର୍ନର ରହିଛି ।

“ଆମେ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ପକ୍ଷରୁ ସମସ୍ତ ଅନୁମତି ପାଇଛୁ । ଆମେ ଅଗଷ୍ଟ ୨୫ ତାରିଖରୁ ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଏହାର ହ୍ୟୁମାନ୍ କ୍ଲିନିକାଲ୍ ଟ୍ରାଏଲ୍ ପରୀକ୍ଷଣ ଆରମ୍ଭ କରିବୁ” ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ), ଗଭର୍ମେଣ୍ଟ ଏବଂ ରେଗୁଲାଟୋରୀ ଏଫାୟାର୍ସର ଅତିରିକ୍ତ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କହିଛନ୍ତି ।

ଏହି ଟ୍ରାଏଲ୍ ପ୍ରାୟ ୧୭ଟି ସ୍ଥାନରେ କରାଯିବ । ଯେଉଁଥିରେ ଏମ୍ସ ଦିଲ୍ଲୀ, ପୁଣେର ବିଜେ ମେଡିକାଲ୍ କଲେଜ, ପାଟନାର ରାଜେନ୍ଦ୍ର ମେମୋରିଆଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଓ ମେଡିକାଲ୍ ସାଇନ୍ସ, ଚଣ୍ଡିଗଡର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଏମ୍ସ ଜୋଧପୁର, ଗୋରଖପୁରର ନେହେରୁ ହସ୍ପିଟାଲ୍‌, ବିଶାଖାପାଟଣାର ଆନ୍ଧ୍ର ମେଡିକାଲ୍ କଲେଜ, ମୈଶୁରର ଜେଏସଏସ୍ ଏକାଡେମୀ ଅଫ୍ ହାଇଅର ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସାମିଲ ରହିଛି ବୋଲି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *