ପୁଣି ବଢ଼ିଲା ଇନ୍ଧନ ଦର: ପେଟ୍ରୋଲ୍‌ ୩୯ ପଇସା, ଡିଜେଲ୍‌ ୨୧ ପଇସା ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ତିନିଦିନ ସ୍ଥିର ରହିବା ପରେ ପୁଣି ଆଜି ପେଟ୍ରୋଲ୍‌-ଡିଜେଲ୍‌ ଦର ବୃଦ୍ଧି ପାଇଛି ।  କମ୍ପାନୀମାନେ ଗୁରୁବାର ପୁଣି ଥରେ ଇନ୍ଧନର ଦର ବୃଦ୍ଧି କରିଛନ୍ତି। ପ୍ରତିଲିଟର ପେଟ୍ରୋଲ ୩୧-୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୧୫-୨୧ ପଇସା ମହଙ୍ଗା ହୋଇଛି। ଫଳରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ୧୦୧ଟଙ୍କା ୫୪ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି ।

ମୂଲ୍ୟବର୍ଦ୍ଧିତ କର (ଭାଟ) ଓ ପରିବହନ ଭଡ଼ା ଯୋଗୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହିଛି । ଫଳରେ କଛି ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପେଟ୍ରୋଲ ଲିଟରପିଛା ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି ।

ସେହିପରି ମହାନଗରମାନଙ୍କ ମଧ୍ୟରେ ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ କିଛିଦିନ ତଳୁ ପେଟ୍ରୋଲ ପ୍ରତିଲିଟର ୧୦୦ ଟଙ୍କା ପାର କରିଗଲାଣି। ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୫୪ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭ଟଙ୍କା ୪୫ ପଇସା ଦରରେ ବିକ୍ରି ହେଉଛି। ରାଜସ୍ଥାନ ଶ୍ରୀଗଙ୍ଗା ନଗର ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ଦେଶର ପ୍ରଥମରେ ରହିଥିବା ବେଳେ ଏହିଠାରେ ପେଟ୍ରୋଲ୍‌ ୧୧୨.୯ ଟଙ୍କା ଓ ଡିଜେଲ୍‌ ୧୦୩.୧୫ ଟଙ୍କା ରହିଛି । ଗତ ଫେବୃଆରୀ ମାସରୁ ଲୋକେ ଏଠାରେ ସର୍ବୋଚ୍ଚ ଦରରେ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି। ତେବେ ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲରୁ ସର୍ବାଧିକ ଭାଟ ଆଦାୟ ହେଉଛି। ଏଣୁ ଏଠାରେ ତୈଳ ଦର ପ୍ରଥମେ ଶହେ ଟଙ୍କାକୁ ପାର ହୋଇଥିଲା। ଏହା ପଛକୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାରେ ତୈଳ ମୂଲ୍ୟ ସର୍ବାଧିକ ରହିଥିବା ବେଳେ ଆଉକିଛି ସହରରେ ଦାର ୧୦୦ ତଳକୁ ରହିଛି ।

Leave a Reply

Your email address will not be published. Required fields are marked *