ପାଟକୁରା: ଭାବ ଓ ସମବେଦନାରେ ବନ୍ଧା ବିଜୟ ଓ ବେଦୁଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): ପାଟକୁରା ବିଧାନସଭା ମଣ୍ଡଳୀରେ ଦୁଇ ପ୍ରମୁଖ ଅଣ କଂଗ୍ରେସ ନେତାଙ୍କ ମୁହାଁମୁହିଁ ହେଉଥିଲେ ମଧ୍ୟ ଅସଲ ମଇଦାନରେ ଜଣେ ଅଛନ୍ତି, ଆଉ ଜଣଙ୍କ ଦେଖା ମିଳୁନାହିଁ । ଏହାର କାରଣ ହୋଉଛି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ଅସୁସ୍ଥତା । ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାରୁ ତାଙ୍କ ବାର୍ତ୍ତାକୁ ନେଇ ତାଙ୍କ ପାଇଁ ଭୋଟ୍‍ ମାଗୁଛନ୍ତି ପୁଅ ସଞ୍ଜୟ । ଅପରପକ୍ଷେ ବେଦୁଙ୍କ ଅଭାବ ବିଜେପି ପ୍ରାର୍ଥୀ ତଥା ପ୍ରତିଦ୍ଵନ୍ଦ୍ଵୀ ବିଜୟ ମହାପାତ୍ରଙ୍କୁ ସହଯୋଗୀ ହୋଇଛି। ଉଭୟଙ୍କର ଏହା ଶେଷ ନିର୍ବାଚନ ଲଢ଼େଇ ବୋଲି ବିଚାର କରାଯାଉଛି। ଏପରିକି ଏ ବାର୍ତ୍ତା କେନ୍ଦ୍ରାପଡ଼ାରେ ଚହଳ ବି ହୋଇଛି। ଅର୍ଥାତ୍‌ ଭୋଟରଙ୍କ ଭାବପ୍ରବଣତା ଆଉ ସମବେଦନା ଉପରେ ନିର୍ଭର କରୁଛି ଏଇ ଦୁଇ ପୁରୁଖା ନେତାଙ୍କ ଭାଗ୍ୟ।

୧୯୬୧ ମସିହାରୁ ପାଟକୁରା ଆସନ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଆସିଛି । ୧୯୮୦ ମସିହାରେ ବିଜୁ ପଟ୍ଟନାୟକ ଏହିଠାରୁ ପ୍ରାର୍ଥୀ ହୋଇ ଏଠାର ରାଜନୀତିକ ନକ୍ସା ପରିବର୍ତ୍ତନ କରିଥିଲେ । ତା’ ପରଠୁ କେତେବେଳେ ବିଜୟ ମାହାପାତ୍ର ବା କେତେବେଳେ ବେଦପ୍ରକାଶ ଅଗ୍ରୱାଲାଙ୍କୁ ଅଥବା ଅତନୁ ସବ୍ୟସାଚି ନାୟକଙ୍କୁ ଲୋକେ ଅଣ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ କରୁଛନ୍ତି । ଏବେ ଉଭୟ ବେଦପ୍ରକାଶ ଏବଂ ବିଜୟ ପ୍ରର୍ଥୀ । କାଗଜପତ୍ରରେ ୧୧ ଅନ୍ୟ ପ୍ରାର୍ଥୀ ରହିଥିଲେ ବି ଅସଲ ପ୍ରତିଦ୍ୱନ୍ଦ୍ୱିତା ବିଜୟ ଏବଂ ବିଦେ ପ୍ରକାଶଙ୍କ ଭିତରେ ହେଉଥିବା ନେଇ ଆଲୋଚନା ହେଉଛି । ପ୍ରଚାରରେ ଆସିପାରୁ ନଥିବାରୁ କେନ୍ଦ୍ରାପଡ଼ା ରାଜନୀତି ଏକତରଫା ହେବା ଭଳି ଅନୁଭୂତ ହେଉଛି ।

ହେଲେ ବେଦପ୍ରକାଶଙ୍କ ଅନେକ ଦିନର ସଂଗଠନ ଏବେ ତାଙ୍କ ଅସୁସ୍ଥ ଅବସ୍ଥାରେ ଅଧିକ ସହାୟକ ହେବ ଏବଂ ଲୋକେ ସମବେଦନା ଭୋଟ୍‍ ଦେଇ ତାଙ୍କୁ ପୁଣି ବିଜୟ କରିବେ ବୋଲି ଆଶା କରାଯାଛି । ଏହି ଯୁକ୍ତିକୁ ଦେଖିଲେ ଦୀର୍ଘଦିନ ହେଲା ପାଟକୁରାରୁ ପ୍ରାର୍ଥୀ ହୋଇ ପ୍ରତ୍ୟାଖ୍ୟାତ ହେଉଥିବା ବିଜୟ ଏହି ନିର୍ବାଚନକୁ ଏକୁ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି। ଲୋକେ ତାଙ୍କୁ ଏଥର ନିରାଶ କରିବେ ନାହିଁ ବୋଲି ଆଲୋଚନା ହେଲାଣି ।

ବିଜୟ ଏବେ ନିର୍ବାଚନ ମଣ୍ଡଳୀର ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର ସହ କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କୁ ଭେଟୁଛନ୍ତି। ବିଜୟଙ୍କୁ ମୁକାବିଲା କରିବାକୁ ବିଜେଡି ବହୁ ବିଳମ୍ବରେ ପ୍ରାର୍ଥୀ ଭାବେ ବେଦୁବାବୁଙ୍କ ନାଁ ଘୋଷଣା କକରିଥିଲା। ବେଦପ୍ରକାଶ ଟିକେଟ୍‍ ଆଣି ମନୋନୟନ ପତ୍ର ଦାଖଲ କରିଥିଲେ । କିନ୍ତୁ କର୍ମୀଙ୍କ ସୂତ୍ର ଅନୁସାରେ ସେ ସେହିଦିନ ପୁଣି ଭୁବନେଶ୍ୱର ଫେରିଗଲେ । ତା’ପରଠାରୁ ବେଦୁବାବୁ ଆଉ କେନ୍ଦ୍ରାପଡ଼ା ବା ପାଟକୁରା ଅଞ୍ଚଳକୁ ଆସିନାହାଁନ୍ତି ।

ତେବେ ଦୀର୍ଘ ଦିନ ହେଲା ବେଦୁବାବୁ ଅସ୍ଥି କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେଠାର ଏକ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ଆଲୋଚନା ହେଉଛି । ଅସୁସ୍ଥତା କାରଣରୁ ସେ ଭୋଟ ପ୍ରଚାର ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ଅସିପାରୁ ନଥିବା ସାଧାରଣ ଲୋକେ ଆଶଙ୍କା କରୁଛନ୍ତି । ବେଦୁବାବୁ ଯାତାୟାତ କରିପାରୁ ନଥିବାରୁ ତାଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ବିଜେଡି କର୍ମୀମାନଙ୍କୁ ଭେଟୁଥିବା କର୍ମଙ୍କ ମହଲରୁ ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *