ବେକାର ହେବା ଚିନ୍ତାରେ ଘାରି ହେଲେଣି ଦଳୀୟ ମୁଖପାତ୍ର

ନିର୍ବାଚନ ସମୟରେ ଅତ୍ୟନ୍ତ ସକ୍ରିୟ ଥିବା ରାଜନୈତିକ ମୁଖପାତ୍ରମାନଙ୍କ ଚିନ୍ତା ଧିରେ ଧିରେ ବଢିବାରେ ଲାଗିଛି। ବର୍ତ୍ତମାନର ରାଜନୈତିକ ପାଣିପାଗରେ ରାତିପାହିଲେ ସେମାନଙ୍କୁ ଖୋଜା ପଡୁଥିବାବେଳେ ନିର୍ବାଚନ ସରିଲେ ସେମାନେ କଣ କରିବେ ସେହି ଚିନ୍ତାରେ ଏବେ ଘାରି ହେଉଛନ୍ତି। ବିଶେଷକରି ଯେଉଁସବୁ ମୁଖପାତ୍ରମାନେ ବହୁ ଆଶାକରି ଟିକଟ ଖଣ୍ଡିଏ ପାଇନାହାନ୍ତି ସେମାନଙ୍କ ଚିନ୍ତା ସବୁଠାରୁ ଅଧିକ।

ରାଜ୍ୟର ତିନି ପ୍ରମୁଖଦଳ ବିଜେଡି, ବିଜେପି ଓ କଂଗ୍ରେସରେ ମୁଖପାତ୍ରମାନଙ୍କର ସମାନ ଅବସ୍ଥା। କଂଗ୍ରେସର ମୁଖପାତ୍ରମାନଙ୍କ ତୁଳନାରେ ବିଜେଡି ଓ ବିଜେପି ମୁଖପାତ୍ରଙ୍କ ଚିନ୍ତା ଟିକେ ଅଧିକ ରହୁଥିବା ଲକ୍ଷ୍ୟ କରାଯାଉଛି। ବିଜେଡିର ମାଳ ମାଳ ମୁଖପାତ୍ର ଏବେ ପ୍ରତିଦିନ ଗଣମାଧ୍ୟମରେ ବାହାରୁଛନ୍ତି। ରାତି ପାହିଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତର ଠାରୁ ଆରମ୍ଭକରି ଥାନା ପର୍ଯ୍ୟନ୍ତ ଧାଉଁଛନ୍ତି। ସେମାନେ ପହଞ୍ଚିବା ପୂର୍ବରୁ ଗଣମାଧ୍ୟମ ଆଗତୁରା ପହଞ୍ଚିଯାଉଛି। ମାଳ ମାଳ ଟିଭି କ୍ୟାମେରା ସେମାନଙ୍କ ଉପରେ ଫୋକସ କରୁଛି। ସେମାନଙ୍କ ମୁହଁରୁ ପଦୁଟିଏ କଥା ଶୁଣିବାପାଇଁ ସାମ୍ୱାଦିକମାନେ ଖରା ତରାରେ ଠିଆହୋଇ ରହୁଛନ୍ତି। ଏହାବାଦ‍୍‌ ଦିନକ ଆଗରୁ କେଉଁ ଟିଭିରେ କାହାକୁ ଡକାଯିବ ତାହା ସ୍ଥିର ହେଉଛି। ବର୍ତ୍ତମାନ ଯେହେତୁ ନେତାମାନେ ନିଜ ନିଜ ଇଲାକାରେ ଡେରା ପକାଇଛନ୍ତି ସେଥିପାଇଁ ଏହି ମୁଖପାତ୍ରମାନେ ଟିଭି ଚ୍ୟାନେଲ ଗୁଡିକର ଗଳାମାଳି ପାଲଟିଛନ୍ତି।

କେବଳ ବିଜେଡି ନୁହେଁ ବିଜେପିରେ ବି ସମଦଶା। ପ୍ରତିଦିନ ମୁଖ୍ୟ ର୍ନିବାଚନ ଅଧିକାରୀ ଓ ଥାନା ସହିତ ଦଳୀୟ କାର୍ଯ୍ୟାଳୟରେ ଗଣ୍ଡା ଗଣ୍ଡା ସାମ୍ୱାଦିକ ସମ୍ମିଳନୀ। ପ୍ରତି ଅଧଘଣ୍ଟାରେ ଥରେ ଟିଭିରେ ବାହାରୁଛନ୍ତି। ଦଳୀୟ ମୁଖ୍ୟ ଯେତେଥର ଟିଭିରେ ଦେଖାଯାଉ ନାହାନ୍ତି ତାହାଠାରୁ ଅଧିକ ଦଳୀୟ ମୁଖପାତ୍ରମାନଙ୍କ ମୁହଁ ଦେଖିବାକୁ ମିଳୁଛି। ସେମାନଙ୍କ ବାଇଟ‍୍‌ଟିଏ ନେବାପାଇଁ ଗଣମାଧ୍ୟମ ଅପେକ୍ଷାକରି ରହୁଛି। ଅବଶ୍ୟ କଂଗ୍ରେସ ଟିକେ ଏ କ୍ଷେତ୍ରରେ ପଛରେ ପଡିଛି। ସିଇଓଙ୍କ ଅଫିସରେ ଆଉ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳୁନାହିଁ। ଥାନା ତ ଦୂରରକଥା। ସେହିଭଳି ଗଣମାଧ୍ୟମକୁ ଯିବାପାଇଁ ବି ଆଉ ମୁଖପାତ୍ର ନାହାନ୍ତି। ଯିଏ ଯାଉଥିଲେ ସିଏ ଟିକଟ ନପାଇ ଏବେ ବାଟ କାଟିଲେଣି।

ହେଲେ ନିର୍ବାଚନ ସରିଗଲେ ଏହି ମୁଖପାତ୍ରମାନେ କଣ କରିବେ ଏବେ ଭାଳି ହେଉଛନ୍ତି। କାରଣ ଭୋଟ ସରିଲେ ଏମାନଙ୍କ କାମ ଶେଷ। ରାସ୍ତା ଘାଟରେ ଦେଖିଲେ ଗଣମାଧ୍ୟମ ବାଇଟ‍୍‌ ନେବା ତ ଦୂରରକଥା ଭଲ ମନ୍ଦ ବି ପଚାରିବେ ନାହିଁ ବୋଲି କିଛି ମୁଖପାତ୍ର କହିଲେଣି। ଏଣେ ଟିକଟ ପାଇନଥିବାରୁ ରାଜନୀତିରେ ବି ସେମାନେ ଅଲୋଡା ହୋଇଯିବେ। ଯାହା ପଦ ପଦବୀ ମିଳିଛି ତାହା କେବଳ ମନକୁ ଶାନ୍ତି ଦେବାପାଇଁ। ଦଳୀୟ ବିଧାୟକମାନେ ବି ସେମାନଙ୍କୁ ପଚାରିବେ କି ନାହିଁ ସେହି ସନ୍ଦେହରେ ଅଛନ୍ତି। ଏବେ ଟିଭି ପରଦାରେ ଯେଉଁ ଚିକ୍ମିକ୍ ଅବସ୍ଥା ତାହା ଆଉ ଦିନ କେଇଟାରେ ଉଭେଇଯିବା କଥା ଭାବି ଭାବି ଏବେଠାରୁ କିଛି ମୁଖପାତ୍ର ଠିକଣା ଭାବେ ଖିଆପିଆ କରୁନଥିବା ସେମାନଙ୍କ ପାଖଲୋକମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *