‘ପ ସେ ପ୍ୟାର୍ ଫ ସେ ଫେରାର୍’ର ମୋସନ୍ ପୋଷ୍ଟର୍ ଜାରି
ଏଭଳି ଏକ ନିଆରା ଟାଇଟେଲ୍ର ଫିଲ୍ମ ‘ପ ସେ ପ୍ୟାର୍ ଫ ସେ ଫେରାର୍’ର ମୋସନ୍ ପୋଷ୍ଟର୍ ଜାରି କରାଯାଇଛି । ଏହା କେବଳ ଏକ ଫିଲ୍ମ ନୁହେଁ, ଏହା ଏକ କ୍ରାନ୍ତି ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ମନୋଜ ତିୱାରି । ଆର୍ଟିକଲ୍ -୧୯ର ଅବମାନନା ଉପରେ ଫିଲ୍ମଟି ଆଧାରିତ । ଆସନ୍ତା ଅକ୍ଟୋବର ୧୮ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ ବୋଲି ସୂଚନା ମିଳିଛି । ଫିଲ୍ମର କାହାଣୀ ମଥୁରାର ଏକ ସତ ଘଟଣାକୁ ନେଇ ରଚନା କରାଯାଇଛି । କାହାଣୀ ଅନୁଯାୟୀ ରାଷ୍ଟ୍ରୀୟସ୍ତରର ଜଣେ ଖେଳାଳିଙ୍କୁ ଇଣ୍ଟରକାଷ୍ଟ୍ ମ୍ୟାରେଜ ଯୋଗୁଁ ଅନେକ ସମସ୍ୟାର ସମାନା କରିବାକୁ ପଡ଼ିଛି । ଦୁଇଜଣ ଲଭବାର୍ଡ଼ଙ୍କ ପ୍ରେମ କାହାଣୀ ଓ ବିବାହ ଏବଂ ତାହାକୁ ନେଇ ସମାଜ ଓ ସମୁଦାୟଙ୍କ ପକ୍ଷରୁ ହ୍ରିଂସକ ପ୍ରତିକ୍ରିୟାର ଏକ ନିଚ୍ଛକ ଦୃଶ୍ୟ ଏହି ଫିଲ୍ମ ମାଧ୍ୟମରେ ଦେଖିବାକୁ ମିଳିବ । ଏହି ଘୃଣା ଓ ହିଂସା ଆଚରଣ କିଭଳି ମଥୁରା ଭଳି ଏକ ପ୍ରେମର ସହରକୁ ବିକୃତ କରିଦେଉଛି, ତାହାକୁ ଦର୍ଶକ ଦେଖିପାରିବେ ।
‘ଓକେ ମୁଭିଜ୍’ ବ୍ୟାନର୍ ପକ୍ଷରୁ ଡ. ଯୋଗେନ୍ଦର ସିଂଙ୍କ ଦ୍ୱାରା ଏହାକୁ ନିର୍ମାଣ କରାଯାଉଛି ଏବଂ କାହାଣୀ ରଚନା କରିଛନ୍ତି ବିଶାଲ ବିଜୟ । ଏହି ଫିଲ୍ମରେ କୁମୁଦ୍ ମିଶ୍ରା, ଜିମି ସେରିଗଲ୍, ସଞ୍ଜୟ ମିଶ୍ରା, ଗୀରିଶ କୁଲକର୍ଣ୍ଣି, ଜାକିର୍ ହୁସେନ୍ ଓ ସିମା ଆଜମି ବିଭିନ୍ନ ଭୂମିକାରେ ଥିବାବେଳେ ଡେବ୍ୟୁ କଳାକାର ଭାବେ ଅଛନ୍ତି ଭାବେଶ୍ । ଏଭଳି ଏକ ଭିନ୍ନ ସ୍ୱାଦର ଫିଲ୍ମ ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ହେବ ବୋଲି ଫିଲ୍ମଟିମ୍ ପକ୍ଷରୁ ଆଶା କରାଯାଉଛି ।