କୁବେର ଅଧିକାରୀ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍): ଗତକାଲି କୁବେର ଅଧିକାରୀଙ୍କ ଆଖି ଖୋସିଦେବା ପରି ସମ୍ପତ୍ତି ମୂଲ୍ୟାୟନ ପରେ ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଅଧିକାରୀଙ୍କୁ ନାକେଦମ କରିଥିବା OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ।
ପ୍ରତାପ ସାମଲଙ୍କ ବିଡ଼ା ବିଡ଼ା ଟଙ୍କା, ମାଳ, ମାଳ ପ୍ଲଟ, ଆଖି ଖୋସିଲା ପରି ବିଲ୍ଡିଂ, ଆପାର୍ଟମେଣ୍ଟ ଦେଖି ଗତକାଲି ତାଜୁବ ହୋଇଯାଇଥିଲେ ଚଢ଼ାଉ କରିବାକୁ ଯାଇଥିବା ଭିଜିଲାନ୍ସ ଅଧିକାରୀ। ବିଳମ୍ବିତ ରାତି ଯାଏ ହିସାବ ସରୁ ନ ଥିବା ବେଳେ ଶେଷରେ କୁବେର ଅଧିକାରୀଙ୍କ ୨୫ଟି ପ୍ଲଟ ଠାବ କଲା ଭିଜିଲାନ୍ସ । ୨୫ଟି ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା । ଏହାବାଦ ତାଙ୍କ ଗୋଠପାଟଣାସ୍ଥିତ ୫ ମହଲା ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା। ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ଦିଅଯାଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ରୁ ଊର୍ଦ୍ଧ୍ୱ ଟିମ୍ ଗତକାଲି ଅଚାନକ୍ ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରସ୍ଥିତ ଘରେ ଛାନ୍ଭିନ୍ କରିଥିଲା। ତେବେ ଭୋରୁ ହିଁ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜର ପ୍ଲଟ୍ ନମ୍ବର N-6 ୪୧୬ରେ ରେଡ୍ ପାଇଁ ପହଞ୍ଚିଥିବା ଭିଜିଲାନ୍ସ ଟିମ୍କୁ ଦେଖି ପାଖାପାଖି ୪୫ ମିନିଟ୍ ଧରି ଘରର କବାଟ ଖୋଲି ନ ଥିଲେ ପ୍ରତାପ। ଏହି ସମୟରେ ସେ ଏକ ପେଟିରେ ପ୍ରାୟ ୨୦ ଲକ୍ଷ ଟଙ୍କା ପାଖ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ପେଟି ଭର୍ତ୍ତି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏହା ଦେଖି ତଦନ୍ତକାରୀ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି। ବାବୁ ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା ସିଭିଲ ପଢ଼ିଥିଲେ । ୧୯୮୮ ମସିହାରେ ସିଭିଲ ଜୁନିଅର ଇଞ୍ଜି଼ନିଅର ଭାବେ ପୁଲିସ ହାଉସିଂ କର୍ପୋରେସନରେ ଜଏନ କଲେ। ୧୯୯୫ ପର୍ଯ୍ୟନ୍ତ ଇଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କଲେ। ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଲେ। ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର, କଟକରେ କାମ କରିଛନ୍ତି। ଏହାପରେ ୨୦୧୯ରେ ଭୁବନେଶ୍ୱରରେ ଜଏନ କଲେ।