ଉରୀ ସେକ୍ଟରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ: ପାଞ୍ଚ ଦିନରେ ୪ ଆତଙ୍କୀ ନିପାତ

ଶ୍ରୀନଗର, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଦମନ ଅଭିଯାନ ଜୋରଦାର ହୋଇଛି । ଭାରତୀୟ ସେନା ପକ୍ଷରୁ ପୁଣିଥରେ ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି । ମଙ୍ଗଳବାର ଉରୀ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାବୁ କରିଥିବା ସୂଚନା ମିଳିଛି । ଅନୁପ୍ରବେଶ କରୁଥିବା ବେଳେ ଜଣେ ଆତଙ୍କବାଦୀକୁ ଗୁଳିକରି ହତ୍ୟା କରିଛନ୍ତି ଭାରତୀୟ ସେନା । ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବାରୁ ଗୁଳିମାଡରୁ ବର୍ତ୍ତିଯାଇଛି ।

ସୂଚନାଯୋଗ୍ୟ, ଉରୀ ସେକ୍ଟରରେ ଗତ କିଛି ଦିନ ହେଲା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠା​‌ରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଥିଲା । ଉରୀ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ଲଗାତାର ଭାବେ ପଶୁଥିବାରୁ ସର୍ଚ୍ଚ ଅପରେସନ ଜୋରଦାର କରିଛି ଭାରତୀୟ ସେନା ।

ଏଭଳି ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ସେନା । ଏହି କ୍ରମରେ ଉରୀ ସେକ୍ଟରରେ ଗତ ୫ ଦିନ ମଧ୍ୟରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି ଯବାନ । ସେନା କହିବା ମୁତାବକ, ଗତ ସେପ୍ଟେମ୍ବର ୧୮ ତାରିଖରୁ ହିଁ ଲଗାତାର ଭାବେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ । ଗତ ସେପ୍ଟେମ୍ବର ୨୩ ତାରିଖରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା । ତେବେ ଅନ୍ୟ ୨ ଜଣ ଆତଙ୍କବାଦୀ ଖସିପଳାଇବାକୁ ସକ୍ଷମ ହୋଇଥିଲେ । ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଜଣେ ଆତଙ୍କବାଦୀ ଭୟରେ ଆତ୍ମସମର୍ପଣ କରିଛି ।

Leave a Reply

Your email address will not be published. Required fields are marked *