କେନ୍ଦ୍ରାପଡ଼ା ଜିଲ୍ଳାର ଆଉ ଜଣେ ଶ୍ରମିକଙ୍କ ଦିଲ୍ଲୀରେ ମୃତ୍ୟୁ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଆଉ ଜଣେ ଶ୍ରମିକଙ୍କ କରୋନା ଆକ୍ରାନ୍ତ  ହେତୁ  ଦିଲ୍ଲୀରେ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ରଞ୍ଜନ ସାହୁ। ସେ ଦୀର୍ଘ ୨୦ ବର୍ଷ ହେଲା ଦିଲ୍ଲୀରେ ପାଣିପାଇପ୍‌ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ମାର୍ସା ଘାଇ ବ୍ଲକ୍‌ ହାତିଆ ଗାଁରେ ବୋଲି ଜଣାପଡ଼ିଛି।

 କିଛି ଦିନ ପୂର୍ବେ ସେ କରୋନା ପଜିଟିଭ୍‌ ଚିହ୍ନିତ ହୋଇଥିଲେ। ମେ ମାସ ୩୧ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ସ୍ଥାନୀୟ ଲୋକନାୟକ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରଞ୍ଜନଙ୍କୁ ଭେଂଟିଲେଟରରେ ରଖି ଚିକିତ୍ସା କରିଥିଲେ ହେଁ ଗତ ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ରଞ୍ଜନଙ୍କର କୋଭିଡ୍ରେ‌-୧୯ରେ ମୃତ୍ୟୁ ହୋଇଥିବା ଲୋକନାୟକ ହସପିଟାଲର ଡାକ୍ତର ସୁରେଷ ସୂଚନା ପ୍ରଦାନ କରିଛନ୍ତି ।

ଡାକ୍ତରଖାନା ପକ୍ଷରୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଦିଲ୍ଳୀରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ରଞ୍ଜନଙ୍କ ବିଧବା ପତ୍ନୀଙ୍କ ସହିତ ତାଙ୍କ ପୁଅ ଓ ଝିଅ ଏବେ ଦିଲ୍ଲୀରେ ରହୁଛନ୍ତି । ତେବେ ରଞ୍ଜନଙ୍କ ପତ୍ନୀ ଓ ତାଙ୍କ ପୁଅ, ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମୃତ ରଞ୍ଜନ, ତାଙ୍କ ପତ୍ନୀ ଓ ପୁଅ, ଝିଅ ମିଳିମିଶି ଚଳୁଥିବାରୁ ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଲକ୍ ଡାଉନ ଦିନରୁ ରଞ୍ଜନ ରୋଜଗାର ହରାଇ ବସି ରହିଥିଲେ ଓ ତାଙ୍କ ନିକଟରୁ ସଂଚିତ ଅର୍ଥ ସରିଯାଇଥିବାରୁ ରଞ୍ଜନଙ୍କ ପରିବାର ଲୋକେ ଅନାଟନ ମଧ୍ୟରେ ଗତି କରୁଥିଲେ । ଏହି ଦୁଃସମୟରେ ରଞ୍ଜନଙ୍କ ମୃତ୍ୟୁ ତାଙ୍କ ବିଧବା ପତ୍ନୀ ଓ ଦୁଇ ପିଲାଙ୍କୁ ନିରାଶ କରିଛି ।

ଏବେ ରଞ୍ଜନଙ୍କ ବିଧବା ପତ୍ନୀ ଓ ପିଲାମାନେ ଦିଲ୍ଲୀରେ ଭୋକ ଉପାସରେ କାଳାତିପାତ କରୁଥିବା ହାତିଆ ଗାଁ ଲୋକଙ୍କ ସୂତ୍ରରୁ ଖବର ମିଳୁଛି । ତେଣୁ ରଞ୍ଜନଙ୍କ ପରିବାରକୁ ରାଜ୍ୟ ସରକକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥୀକ ସହାୟତା ପ୍ରଦାନ ପାଇଁ ମତପ୍ରକାଶ ପାଉଛି । କରୋନାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିବା ସହ ତାଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥୀକ ସହାୟତା ପ୍ରଦାନ କରାଯିବା ସହିତ ଆବଶ୍ୟକୀୟ ଅନ୍ୟ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି । ଏହା ପୂର୍ବରୁ ପଟାମୁଣ୍ଡାଇ ଅଂଚଳର ଜଣେ ଯୁବକଙ୍କର ଦୁବାଇରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇ ଯାଇଛି । ପଟାମୁଣ୍ଡାଇ ଅଂଚଳର ଏହି ଯୁବକ ଜଣକ ଦୁବାଇରେ ରହି ପାଣିପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ରଞ୍ଜନଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ କରୋନାରେ ମୃତ୍ୟୁ ସଂଖ୍ୟା ଦୁଇରେ ପହଂଚିଛି ।

Leave a Reply

Your email address will not be published. Required fields are marked *