ସହିଦ୍ ପରିବାରଙ୍କୁ କୋଟିଏ ଟଙ୍କାର ସହାୟତା ଦେବେ କେନ୍ଦ୍ର ସରକାର
ଜମ୍ମୁ-କାଶ୍ମୀରର ପୁଲୱାମାରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସହିଦ୍ ହୋଇଥିବା ଅର୍ଦ୍ଧ ସୈନିକ ପରିବାରକୁ ଆଥିର୍କ ସଂକଟରୁ ମୁକ୍ତ କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଅନେକ ଉପାୟ ସ୍ଥିର କରିଛନ୍ତି। ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ପ୍ରତ୍ୟେକ ଯବାନଙ୍କ ପରିବାର ଭବିଷ୍ୟତରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପ୍ରତ୍ୟେକଙ୍କୁ କୋଟିଏ ଟଙ୍କାର ଆଥିର୍କ ସହାୟତା ପ୍ରଦାନ କରିବେ।
କେନ୍ଦ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୂଚନା ଅନୁସାରେ ପୁଲୱାମାରେ ସହିଦ୍ ହୋଇଥିବା ସିଆରପିଏଫ ଯବାନଙ୍କ ପରିବାରକୁ କୋଟିଏ ଟଙ୍କାର ସହାୟତା ବ୍ୟବସ୍ଥା କରିଛନ୍ତି। କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳଙ୍କୁ ପୂର୍ବରୁ ଏଭଳି ଘଟଣା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦ରୁ ୫୦ଲକ୍ଷ ଟଙ୍କାର ଆଥିର୍କ ସହାୟତା ଦିଆଯାଉଥିଲା। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସହିଦଙ୍କ ପରିବାରକୁ ଆଥିର୍କ ସହାୟତା ସହିତ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ମିଳୁଥିଲା।
ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ୩୫ଲକ୍ଷ ଟଙ୍କା ସହାୟତା ଦିଆଯାଇଛି। ଏହାଛଡ଼ା ଅର୍କମଣ୍ୟ ଫଣ୍ଡରୁ ୨୧.୫ ଲକ୍ଷ, ଭାରତ କେ ବୀର ଫଣ୍ଡରୁ ୧୫ ଲକ୍ଷ, ଷ୍ଟେଟ ବ୍ୟାଙ୍କ ପାରା ମିଲିଟାରୀ ଦରମା ପ୍ୟାକେଜ ବୀମା ବାବଦକୁ ୩୦ଲକ୍ଷ ଟଙ୍କା ମିଳିବ। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ପକ୍ଷରୁ ସହିଦଙ୍କୁ ମିଳୁଥିବା ଅନୁଗ୍ରହ ରାଶି ୧୫ଲକ୍ଷରୁ ୩୫ଲକ୍ଷକୁ ବୃଦ୍ଧି କରାଯାଇଛି।
ଐହାଛଡ଼ା କେନ୍ଦ୍ର ସରକାର ଆଥିର୍କ ସହାୟତା ବାଦେ ସହିଦ୍ ହୋଇଥିବା ଯବାନଙ୍କ ପିଲାଙ୍କ ପାଠପଢ଼ା ପାଇଁ ସ୍କଲାରସିପ ପ୍ରଦାନ କରିବେ। ଏହାଛଡ଼ା ସହିଦ୍ ପରିବାରକୁ ଏଲପିଜି ଏଜେନ୍ସି ମଧ୍ୟ ପ୍ରଦାନ କରାଯିବ।
ଆତଙ୍କବାଦୀଙ୍କ ସହିତ ଲଢ଼େଇରେ ଘାୟଏ ହୋଇଥିବା ଯବାନଙ୍କ ଚିକିତ୍ସା ଖର୍ଚ୍ଚ ବାଦେ ଅତିରିକ୍ତ ସହାୟତା ଦେବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ନିକଟରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀର ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା କାମରେ ନିଯୋଜିତ ଯବାନଙ୍କ ଅର୍କମଣ୍ୟ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି କରିଛନ୍ତି।