ଟୋକିଓ ଅଲିମ୍ପିକ୍ସ: ହକିରେ ହାରିଲା ଭାରତ, ମଉଳିନି ପଦକ ଆଶା

ଟୋକିଓ, (ଓଡିଶା ଟାଇମ୍): ଏଠାରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡାର ପୁରୁଷ ହକି ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରତିପକ୍ଷ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି। ବେଲଜିୟମ ଫାଇନାଲ ଖେଳିବାକୁ ନିଜର ସ୍ଥାନ ସୁନିଶ୍ଚିତ କରିଥିବାବେଳେ ଭାରତୀୟ ପୁରୁଷ ହକି ଦଳ ଆଗକୁ କାଂସ୍ୟ ପଦକ ପାଇଁ ପ୍ରତିଯୋଗିତା କରିବେ। ଚଳିତ ମାସ ୫ ତାରିଖରେ ଭାରତ କାଂସ୍ୟ ପଦକ ପାଇଁ ଖେଳିବ ବୋଲି ଜଣାଯାଇଛି।
ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ବେଲଜିୟମ ଦଳ ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରିଥିଲା। ଏହି ଦଳ ଶେଷ କ୍ୱାର୍ଟରରେ ତିନିଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଭାରତ ପକ୍ଷରୁ ମନଦୀପ ସିଂ ଏବଂ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ପୁରୁଷ ହକିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ।

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‍ କରି କହିଛନ୍ତି ଯେ ଭାରତୀୟ ଖେଳାଳି ମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛନ୍ତି। ହାରିବା ଓ ଜିତିବା ଜୀବନର ଅଂଶ ବିଶେଷ। ଏଥିସହିତ ସେ ଭାରତୀୟ ଖେଳାଳିମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *