ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର, (ଓଟି): ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ । କ୍ରେଡାଇର ସଦସ୍ୟମାନଙ୍କ ସହିତ ଆଲୋଚନା ଅବସରରେ ଏହା କହିଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । କ୍ରେଡାଇର ଏକ ପ୍ରତିନିଧିମଣ୍ଡଳୀ ଶୁକ୍ରବାର ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଭେଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଗୃହ ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି । ଉନ୍ନତି ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଜି ମାଥିଭାଥନନ, ବିଏମ୍‍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ରେରାର ଅଧ୍ୟକ୍ଷ ଅମୀୟ କୁମାର ଚୌଧୁରୀ ଏବଂ ବିଡିଏ ଓ ସିଡିଏର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଆଲୋଚନା କାଳରେ କ୍ରେଡାଇ ସଦସ୍ୟମାନେ ରିୟଲ ଇଷ୍ଟେଟ ରେଗୁଲାଟରୀ ଅଥରିଟୀ ଆଇନ୍‍ (ରେରା) -୨୦୧୬ ଏବଂ ଓଡିଶା ରିୟଲ ଇଷ୍ଟେଟ ରେଗୁଲାଟରୀ ଅଥରିଟୀ (ଓରେରା) ନିୟମ ୨୦୧୭ ଅନୁଯାୟୀ ଗୃହ ନିର୍ମାଣ କ୍ଷେତ୍ରରେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ଗୃହ ନିର୍ମାଣ ପାଇଁ ବର୍ତ୍ତମାନ ଆଦାୟ ହେଉଥିବା ସେସ୍‍ ଓ ପୌର ଦେୟ ହ୍ରାସ ଲାଗି ଦାବି କରିଥିଲେ । ସମସ୍ତ ପ୍ରକଳ୍ପ ଲାଗି ଏକକ ବାତାୟନ ବ୍ୟବସ୍ଥା (ସିଙ୍ଗଲ ୱିଣ୍ଡୋ) କରିବା, ଧାର୍ଯ୍ୟ ସମୟ ମଧ୍ୟରେ ଅଧିଗ୍ରହଣ ପ୍ରମାଣପତ୍ର, ଓଟିଡିଆର ୨୦୧୫ ନିୟମରେ ପରିବର୍ତ୍ତନ, ସର୍ବକ୍ଷମା ଯୋଜନା, ସମସ୍ତ ସହରାଞ୍ଚଳ ପାଇଁ ଗୃହ ନିର୍ମାଣ ନୀତି, ପ୍ରକଳ୍ପ ଗୁଡିକର ଅନୁମୋଦନ, ଓରେରା ଚୁକ୍ତି ଅନୁଯାୟୀ ବିକ୍ରି ବ୍ୟବସ୍ଥା ଆଦିର ପରିବର୍ତ୍ତନ ଓ ସରଳୀକରଣ ଆଦି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସଦସ୍ୟମାନଙ୍କ ମତାମତ ଶୁଣିବାପରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ଉପସ୍ଥାପିତ ହୋଇଥିବା ସମସ୍ୟା ଓ ମତାମତ ଉପରେ ଖୁବ୍‍ଶୀଘ୍ର ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟରେ କିଭଳି ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ହେବ ସେଥିନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।

Leave a Reply

Your email address will not be published. Required fields are marked *