ରାଜ୍ୟରେ କମୁଛି ମୋବାଇଲ୍‍ ଗ୍ରାହକ ସଂଖ୍ୟା: ଜିଓ ଚାପରେ ଅନ୍ୟମାନେ ହତାଶ

ଭୁବନେଶ୍ୱର,(ଓଟି): ଓଡ଼ିଶାରେ ମୋବାଇଲ୍‍ ଗ୍ରାହକଙ୍କ ସଂଖ୍ୟା କମିବାରେ ଲାଗିଛି । ଏପ୍ରିଲ୍‍ ମାସରେ ସମୁଦାୟ ୬ ଲକ୍ଷ ୬୨ ହଜାର ଗ୍ରାହକ ନିଜର ବ୍ୟବହୃତ ମୋବାଇଲ୍‌ ସେବା ଫେରାଇ ଦେଇଛନ୍ତି। ସେବା ଫେରାଇଥିବା ଏହି ଗ୍ରାହକଙ୍କ ଭିତରୁ ୩ଲକ୍ଷ ୧୫ହଜାର ଗ୍ରାହକ ପୁଣିଥରେ ଅନ୍ୟ ସେବା ପ୍ରଦାନକାରୀଙ୍କ ନେଟ୍‌ୱର୍କ ବ୍ୟବହାର କରୁଥିବାବେଳେ ୩ଲକ୍ଷ ୪୭ ହଜାର ମୋବାଇଲ୍‍ ସିମ୍‍ଧାରୀ ନିଜର ଗ୍ରାହକ ହେବା ପଦରୁ ଓହରିଛନ୍ତି । ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆଇଡିଆ । ଏହି ମୋବାଇଲ୍‍ ସେବା ସଂସ୍ଥାର ସର୍ବାଧିକ ୪ ଲକ୍ଷ ୩୧ହଜାର ଗ୍ରାହକ ଓହରିଛନ୍ତି । ଏହାପଛକୁ ଭାରତୀ ଏୟାରଟେଲ ୧ଲକ୍ଷ୨୬ ହଜାର ଏବଂ ଟାଟା ଟେଲି ସର୍ଭିସେସ୍ ୧ଲକ୍ଷ ୫ ହଜାର ଗ୍ରାହକ ହାରାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି ।

ସେହିପରି ନୂଆ ଗ୍ରାହକ ଭାବେ ଏପ୍ରିଲ୍‌ ମାସରେ ଯୋଡ଼ି ହୋଇଛନ୍ତି ୩ ଲକ୍ଷ ୧୫ ହଜାର ୧୦୦ ଜଣ ଗ୍ରାହକ। ଏମାନଙ୍କ ଭିତରୁ ଜିଓ ସେବା ଗ୍ରହଣ କରିଛନ୍ତି ୩ଲକ୍ଷ ୩ ହଜାର ଗ୍ରାହକ ଏବଂ ବାକି ୧୨ ହଜାର ୧୦୦ ଜଣ ବିଏସ୍‌ଏନ୍‌ଏଲ୍‌ର ଗ୍ରହକ ପଞ୍ଜିକାରେ ଯୋଡ଼ି ହୋଇଛନ୍ତି।

ଏହିସବୁ ଗ୍ରାହକ ହ୍ରାସର ମୁଖ୍ୟ କାରଣ ହେଉଛି ରିଲାଏନ୍ସ ଜିଓ । ଜିଓ ନିଜର ୪ଜି ମୋବାଇଲ୍‍ ସେବା ଦ୍ୱାରା କେବଳ ଏପ୍ରିଲ୍‍ ମାସରେ ୩ ଲକ୍ଷ ୩ ହଜାର ଗ୍ରାହକଙ୍କୁ ଯୋଡ଼ିଥିବା କମ୍ପାନୀ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି । ସେହିପରି ଜିଓ ତଳକୁ କେବଳ ବିଏଏସ୍‍ଏନ୍‍ଏଲ୍‍ କ୍ରମାଗତ ଭାବରେ ନୂତନ ଗ୍ରାହକ ଯୋଡ଼ିବାରେ ସମର୍ଥ ହୋଇଛି । ଏପ୍ରିଲରେ ବିଏସ୍‍ଏନ୍‍ଏଲ୍‍ ୧୨ହଜାର ୧୦୦ ଜଣ ନୂଆ ଗ୍ରାହକ ଯୋଡ଼ିଥିବା ଏହି ରିପୋର୍ଟରେ କୁହାଯାଇଛି ।

ଏପ୍ରିଲ ଶେଷ ସୁଦ୍ଧା ଓଡ଼ିଶାରେ ସମୁଦାୟ ମୋବାଇଲ୍‍ ଗ୍ରାହକଙ୍କ ସଂଖ୍ୟା ୩କୋଟି ୨୩ ଲକ୍ଷ ବୋଲି ସୂଚନା ମିଳିଛି ।
ତେବେ ଜିଓ ଗ୍ରାହକମାନଙ୍କ ଅତି ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଭାବେ ଓଡ଼ିଶାରେ ଏପ୍ରିଲ ମାସରେ ସର୍ବାଧିକ ଗ୍ରାହକ ଯୋଡିପାରିଥିବା ବେଳେ ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ମଧ୍ୟରେ ଭୋଡାଫୋନ୍ ଆଇଡିଆ ସର୍ବାଧିକ ୪.୩୧ ଲକ୍ଷ ଗ୍ରାହକ ହରାଇଛି । ଏହାପଛକୁ ଭାରତୀ ଏୟାରଟେଲ ୧.୨୬ ଲକ୍ଷ ଏବଂ ଟାଟା ଟେଲି ସର୍ଭିସେସ୍ ୧.୦୫ ଲକ୍ଷ ଗ୍ରାହକ ହାରାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସର୍ବାଧିକ ଲୋକପ୍ରିୟ ଏବଂ ସୁଲଭ ମୂଲ୍ୟରେ ମିଳୁଥିବା ଜିଓ ଫୋନ- ଇଣ୍ଡିଆ କା ସ୍ମାର୍ଟଫୋନ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରିବା ସହିତ ନିଜର ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ ଓ ୪ଜି ନେଟ୍ୱର୍କର ଦ୍ରୁତ ସଂପ୍ରସାରଣ ଏବଂ ଦୂର ଦୂରାନ୍ତ ଅଞ୍ଚଳରେ ସେବା ଉପଲବ୍ଧ କରି ଓଡ଼ିଶାରେ କ୍ରମାଗତ ଭାବେ ଏବଂ ପ୍ରତି ମାସରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରି ଚାଲିଛି ।

ଜାତୀୟସ୍ତରରେ ମଧ୍ୟ ୨୦୧୯ ଏପ୍ରିଲରେ ଜିଓ ନୂତନ ଗ୍ରାହକ ଯୋଡିବାରେ ଅଗ୍ରଣୀ ରହିବା ସହିତ ଏହି ମାସରେ ୮୦ ଲକ୍ଷରୁ ଊଦ୍ଧ୍ୱର୍ ସଂଖ୍ୟକ ନୂତନ ଗ୍ରାହକ ସାମିଲ କରିପାରିଥିବା ବେଳେ ଏହି ସମୟରେ ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟିଛି । ଟ୍ରାଇ ତଥ୍ୟ ଅନୁସାରେ ଗତ ଏପ୍ରିଲରେ ଭାରତର ବ୍ରଡ୍ ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ହାରାହାରି ଭାବେ ୫୬.୭ କୋଟିକୁ ବୃଦ୍ଧି ପାଇଛି ଯାହାକି ଏହାର ପୂର୍ବ ମାସ ତୁଳନାରେ ୦.୭୮ ପ୍ରତିଶତ ଅଧିକ। ରିଲାଏନ୍ସ ଜିଓ’ର ସର୍ବାଧିକ ଭାବେ ୩୧.୪୮ କୋଟି ବ୍ରଡ୍ବ୍ୟାଣ୍ଡ ଗ୍ରାହକ ରହିଥିବା ବେଳେ ଏହାପଛକୁ ଭାରତୀ ଏୟାରଟେଲ(୧୧.୧୪ କୋଟି),ଭୋଡାଫୋନ ଆଇଡିଆ(୧୦.୯୬ କୋଟି) ଏବଂ ବିଏସ୍ଏନ୍ଏଲ୍(୨.୨୨କୋଟି) ରହିଛନ୍ତି ।

୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଏହି କ୍ଷେତ୍ରରୁ ସୃଷ୍ଟି ହୋଇଥିବା ମୋଟ ଆୟ ମଧ୍ୟରୁ ରିଲାଏନ୍ସ ଜିଓ ସର୍ବାଧିକ ଭାବେ ୪୨.୪ ପ୍ରତିଶତ ବଜାର ଅଂଶ ଅକ୍ତିୟାର କରି ଅନ୍ୟ ସମସ୍ତ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ପଛରେ ପକାଇଛି । ଟ୍ରାଇ ରିପୋର୍ଟ ଅନୁସାରେ ୨୦୧୯ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ରିଲାଏନ୍ସ ଜିଓ ୪୦୩.୧୯ କୋଟି ଟଙ୍କା ଆୟ କରିଥିବା ବେଳେ ଭାରତୀ ଏୟାରଟେଲ ୩୫୭.୪୪ କୋଟି ଟଙ୍କା ,ଭୋଡାଫୋନ ଆଇଡିଆ ୧୨୧.୯ କୋଟି ଟଙ୍କା,ବିଏସ୍ଏନ୍ଏଲ୍ ୬୦.୦୫ କୋଟି ଟଙ୍କା ଏବଂ ଟାଟା ଟେଲି ସର୍ଭିସେସ୍ ୯.୨୨ କୋଟି ଟଙ୍କା ଆୟ କରିଛି ।

Leave a Reply

Your email address will not be published. Required fields are marked *