ଓଡ଼ିଶା କ୍ୟାବିନେଟ୍ରେ କେଉଁ ପ୍ରସ୍ତାବକୁ ମିଳିଲା ମୋହର, ଜାଣନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମବର୍ଷ ପୂର୍ତ୍ତି ତଥା ଦ୍ଵିତୀୟ ବର୍ଷ ଶାସନ ଆରମ୍ଭ ହେବାକୁ ଯାଉଥିବାରୁ ସରକାରଙ୍କ କ୍ୟାବିନେଟ୍ ଓ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୨୨ଟି ବିଭିନ୍ନ ଦିଗ ଉପରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ପରିସ୍ଥିତିର ମୁକାବିଲା ତଥା ରାଜୃରେ ଅର୍ଥନୀତିକ କାରବାରକୁ ପୁରା ଦମ୍ରେ କାର୍ଯ୍ୟକ୍ଷମ କରିବା ଲାଗି ସରକାର ଏହି ନିଷ୍ପତ୍ତିସବୁ ନେଇଛନ୍ତି।
ଆସନ୍ତୁ ନଜର ପକାଇବା ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରିଥିବା ବିଭିନ୍ନ ଗୁରୁତ୍ଵପୂଣ୍ଣ ନିଷ୍ପତ୍ତି ଗୁଡ଼ିକ ଉପରେ।
ପ୍ରଥମ ପ୍ରସ୍ତାବ ସ୍ଵରୂପ ରାଜ୍ୟ କ୍ୟାବିନେଟ୍ ପର୍ଯ୍ୟଟନ ନୀତି ୨୦୧୬ରେ ସଂଶୋଧନ କରିଛନ୍ତି। ଏହାଦ୍ଵାରା ଜମି ଆବଣ୍ଟନ ସମସ୍ୟାରେ ସମାଧାନ କରାଯାଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କୌଣସି ପର୍ଯ୍ୟଟନ ପ୍ରକଳ୍ପ ଲାଗି ଜମି ଆବଣ୍ଟନ ହେବା ପରେ ମଧ୍ୟ ତାହାକୁ ପୁଣିଥରେ ଜମି ଆବଣ୍ଟନ କମିଟିରେ ଅନୁମୋଦନ ଆବଶ୍ୟକ ପଡ଼ୁଥିଲା। ଏହାକୁ ଉଠାଇ ଦିଆଯାଇଛି।
୨) ସେହିପରି ହୋଟେଲ୍, ରେଷ୍ଟୁରାଣ୍ଟ ପ୍ରଭୃତିକୁ କେବଳ ଇଡ୍କୋ ହିଁ ଜମି ଦେଇପାରିବ। ପୂବରୁ ଇଡ୍କୋ ଏବଂ ଜିଲ୍ଲାପାଳ ଜମି ଦେଇପାରୁଥିଲେ। ଏବେ ତାହା କେବଳ ଇଡ୍କୋ କ୍ଷମତାଧୀନ ରହିବ। ଯଦି ଭିତ୍ତିଭୂମି କିଛି ଗ୍ରାମାଞ୍ଚଳରେ ହୋଇ ନଥିବ ତେବେ ଆଇପିଆର୍ ଦରରେ ନିଆଯିବ। ୨ ପ୍ରତିଶତ ଇଡ୍କୋ ଚାର୍ଜ ନେବ। ଯଦି ଭିତ୍ତିଭୂମି ନିର୍ମାଣ ହୋଇଥିବ ତେବେ ଏହି ମୂଲ୍ୟକୁ ପୁଣିଥରେ ସଂଯୋଗ କରାଯିବ।
୩) କୃଷି ବିଭାଗରେ ନିଯୁକ୍ତି ହେଉଥିବା ଅଣ୍ଡର ଗ୍ରାଜୁଏଟ୍ ଆଲାଏଡ୍ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ପ୍ରଫେସନାଲ୍ ଡିଗ୍ରୀ କୋର୍ସକୁ ବଢ଼ାଇ ଦିଆଯାଇଛି। ଏହାଦ୍ଵାରା ରାଜ୍ୟର କୃଷି ଗ୍ରାଜୁଏଟ୍ମାନଙ୍କୁ ଲାଭ ପାଇପାରିବେ। ସେମାନଙ୍କ ନିଯୁକ୍ତ ପରିସର ବୃଦ୍ଧି ପାଇବ।
୪) ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରୀଧାନ କାର୍ଯ୍ୟକ୍ରମରେ ୩ରୁ ୬ ବର୍ଷ ବୟସର ପିଲାମାନଙ୍କୁ ଯୋତା ଏବଂ ମୋଜା ଦିଆଯିବ। ଏହାସହ ଏକ ସ୍ଵେଟର ଦିଆଯିବ। ଏହା ରାଜୃ ପାଣ୍ଠିରୁ ପ୍ରଦାନ କରାଯିବ। ଆଗରୁ ଦୁଇଟି ସ୍କୁଲ୍ ୟୁନିଫର୍ମ ଦିଆଯାଉଥିଲା।
୫) ଆସ୍କା ସମବାୟ ସମିତିକୁ ୧୫ କୋଟି ଟଙ୍କାର ରାଜ୍ୟ ସରକାରୀ ଗ୍ୟାରେଣ୍ଟି ଦିଆଯିବ। ଏହାଦ୍ଵାରା ସମ୍ପୃକ୍ତ ସଂସ୍ଥା ୧୫ କୋଟି ଟଙ୍କାର କ୍ୟାସ୍ କ୍ରେଡିଟ୍ ଋଣ ଉଠାଇପାରିବେ। ଏହି ଋଣ ଚିନିକଳ ଉଠାଇ ସାରିଛନ୍ତି। ଆଖୁ ବିକିଥିବା ଚାଷୀଙ୍କୁ ଏହି ଅର୍ଥରୁ ତାଙ୍କୁ ପ୍ରଦାନ କରାଯାଇଛି।
୬) କୃଷି କ୍ଷେତ୍ରରେ ଚୁକ୍ତି ଭିତ୍ତିକ ଚାଷ ପାଇଁ ଅନୁମତି ଦିଆଯାଇଛି। ଏଥିଲାଗି ଏକ ଅଧ୍ୟାଦେଶକୁ ସରକାରଙ୍କ କ୍ୟାବିନେଟ୍ ଗ୍ରହଣ କରିଛନ୍ତି। ଏହାଦ୍ଵାରା ଚୁକ୍ତି ଭିତ୍ତିକ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ଚାଷୀଙ୍କୁ ଏଠାରେ ଦୁର୍ବଳ ବୋଲି ଦର୍ଶାଯାଇଛି। କୃଷି ଉତ୍ପାଦ, ଅମଳ ଏବଂ ମାର୍କେଟିଂରେ ଏହି ଆଇନ ଅନେକ ସହାୟକ ହେବ। ଅନ୍ୟ ରାଜ୍ୟମାନେ ଏହାକୁ ଗ୍ରହଣ କରିଛନ୍ତି। ଏହାଦ୍ଵାରା ନୂଆ ନିବେଶ ଆଣିବା ସୁବିଧା ହେବ। ବଜାର ଭଲ ହେବା ଆଶା ରହିଛି। ଯେଉଁମାନଙ୍କର ଅଭିଜ୍ଞତା ରହିଛି ସେମାନେ ଚୁକ୍ତି ଭିତ୍ତିକ ଚାଷ କରିପାରିବେ।
୭) କୃଷି ବିଭାଗର ଆଉ ଏକ ଅଧ୍ୟାଦେଶକୁ ମଧ୍ୟ ଅନୁମୋଦନ କରାଯାଇଛି। ୧୯୫୬ ମସିହାରେ ଯେଉଁ କୃଷି ବିପଣନ ଆଇନ କରାଯାଇଥିଲା ତାହାକୁ ଏହି ଅଧ୍ୟ ଦେଶ ବଦଳ କରିବ। ଏହି ଅଧ୍ୟାଦେଶ ଦ୍ଵାରା ରାଜ୍ୟ କୃଷି ନିର୍ଦେଶକଙ୍କ ଅନୁମୋଦନ ନେଇ ରାଜ୍ୟର ଯେକୌଣସି ଚାଷୀଠୁ ବିକ୍ରେତା ଜିନିଷ କିଣିପାରିବେ। ଆଗରୁ ଏଥିପାଇଁ ସମ୍ପୃକ୍ତ ଆରଏମ୍ସିଙ୍କ ଅନୁମୋଦନ ଆବଶ୍ୟକ ପଡ଼ୁଥିଲା। ଏହାଦ୍ଵାରା ଘରୋଇ ବିକ୍ରେତା ଓ ଚାଷୀଙ୍କୁ ସୁବିଧା ମିଳିବ। ଇ ବଜାର ସୁବିଧା ବଢ଼ିପାରିବ। କୃଷି ବଜାର କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭୂମିକା ନେବ।
୮) ମେ’ ୧୭ ତାରିଖରେ ପେଟ୍ରୋଲ ଏବଂ ଡିଜେଲ୍ରେ ଯେଉଁ ଭାଟ୍ ବଢ଼ିଥିଲା ତାହାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ପେଟ୍ରୋଲ ଦର ଲିଟର ପିଛା ଭାଟ୍ ୨୬ରୁ ୨୮ ପ୍ରତିଶତ ଏବଂ ଡିଜେଲ୍ ୨୩ରୁ ୨୬ ପ୍ରତିଶତ ବଢ଼ିଲା। ଆଉ ଏକ ପରିବର୍ତ୍ତନରେ ଜିଏସ୍ଟି ସମୟ ସୀମା ବଢ଼ାଯାଇଛି।
୯)) ଖାଦ୍ୟ ଓ ଯୋଗାଣ ବିଭାଗର ଏକ ନିୟନ୍ତ୍ରଣ ବିଧିରେ ସାମାନ୍ୟ ପରିବର୍ତ୍ତନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
୧୦) ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ( ଓରେଡା)କୁ ବିଜ୍ଞାନ ଓ କାରିଗରୀ ବିଭାଗରୁ ଶକ୍ତି ବିଭାଗକୁ ସ୍ଥାନାନ୍ତରଣ କରାଯାଇଛି। ଏହି କ୍ଷେତ୍ରର ଭଲ ପରିଚାଳନା ଏବଂ ଏହି କ୍ଷେତ୍ରରେ ନିବେଶ ଆଣିବା ଲାଗି ଏହି ବ୍ୟବସ୍ଥା ହୋଇଛି ବୋଲି ସରକାର କହିଛନ୍ତି।
୧୧) ଆଇନ ବିଭାଗର ଅନୁରୋଧ କ୍ରମେ ବିଭିନ୍ନ ବିଭାଗୀୟ ପ୍ରମୋସନ୍ କମିଟିରେ ଆବଶ୍ୟକ ପଡ଼ୁଥିବା ଆଇନଗତ ଅନୁସ୍ମାରକ ( ଲିଗାଲ୍ ରିମେମ୍ବ୍ରାନ୍ସର)ଙ୍କୁ ଉଠାଇ ଦିଆଯାଇଛି। ତାଙ୍କ ବଦଳରେ ଅତିରିକ୍ତ ସଚିବ ଏବଂ ସ୍ଵତନ୍ତ୍ର ସଚିବଙ୍କୁ ଏହି ଡିପିସିରେ ରଖାଯିବ।
୧୨) କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟକୁ ଅଧିକ ସଂଖ୍ୟାରେ ଖୋଲିବା ପାଇଁ ରାଜ୍ୟ ସରକାର ଜମି ବାବଦ ଦେୟ ଛାଡ଼ କରିଛନ୍ତି। ମାତ୍ର ୧ ଟଙ୍କା ଦେଇ ସେମାରନେ ଆବଶ୍ୟକ ଜମି ରାଜ୍ୟ ସରକାରଙ୍କଠାରୁ ନେଇପାରିବେ। ଏହି ନିୟମ ଆଗକୁ ନୂଆ ସ୍କୁଲ୍ ଲାଗି ଲାଗୁ ହେବ।
୧୩) ସୋସାଇଟି ପଞ୍ଜିକରଣ ଏଣିକି ନବୀକରଣ କରିବାକୁ ହେବ। ସେମାନଙ୍କୁ ପ୍ରତି ୫ ବର୍ଷରେ ଥରେ ନବୀକରଣ କରିବାକୁ ପଡ଼ିବ। ଅନ୍ଲାଇନ୍ରେ କରାଯାଇପାରିବ। ଏଠାରେ ଅଡିଟ୍ ବ୍ୟବସ୍ଥା ବାଧ୍ୟତାମୂଳକ ରହିବ। ସୋସାଇଟିର ସଦସ୍ୟମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ମଞ୍ଚ ବ୍ୟବସ୍ଥା କରାଯଇଛି।
୧୪) ବାଲେଶ୍ଵର ଜିଲ୍ଲା ସଦର ତହସିଲ୍ରେ ଡିଡ଼ି ଗାଁରେ ଏନ୍ଡିଆର୍ଏଫ୍ ଏକ ନୂଆ କମ୍ପାନୀ ସ୍ଥାପନ ପାଇଁ ମାଗଣା ଜମି ଦିଆଯିବ। ଏହାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ରାଜସ୍ଵ ବିଭଭାଗର ମେମୋରୋଣ୍ଡମ୍କୁ କ୍ୟାବିନେଟ୍ ଗହଣ କଲେ।
୧୫) ୧୬ କିଲୋମିଟର ଲମ୍ବା କେନାଲ୍କୁ ନିର୍ମାଣ କରିବା ଲାଗି ୨୩୦ କୋଟି ୯୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଗ୍ୟାମନ୍ ଇଜିନିୟର୍ସ ଏବଂ ଡିଡି ବିଲ୍ଡର ପ୍ରାଇଭେଟ୍ ଲିମିଟେଡ୍ ର ଜଏଣ୍ଟ ଭେଞ୍ଚରକୂୁ କ୍ୟାବିନେଟ୍ ଗ୍ରହଣ କରିଛନ୍ତି।
୧୬) ଓଏଏସ୍ ଜୁନିୟର ବ୍ରାଞ୍ଚରେ ୧୯୨ ନୂଆ ପଦବୀ ସୃଷ୍ଟି ହେଲା। ଆଗରୁ ଏହି ଦବୀ ସଂଖ୍ୟା ୯୯୬ ଥିଲା ଏବେ ତାହା ୧୧୮୮କୁ ବଢ଼ାଇ ଦିଆଯାଇଛି। ଏହି ନୂଆ ନିଯୁକ୍ତିଙ୍କୁ ଲଘୁ ଖଣିଜ ପ୍ରଶାସନ ଦା୍ରିତ୍ଵରେ ରଖାଯିବା ସହ ୫୮ ଜିଲ୍ଲାପାଳଙ୍କ ଅଫିସରେ ଡେପୁଟି କଲେକ୍ଟର ଭାବେ ସେମାନଙ୍କୁ ନିଯୁକ୍ତି କରାଯିବ।
୧୭) ଶ୍ରମ ଓ ଇଏସ୍ଆଇ ବିଭାଗ ପକ୍ଷରୁ ନିବେଶ ପରିବେଶକୁ ଅନୁକୂଳ କରିବା ପାଇଁ ଦୁଇଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାଦ୍ଵାରା ପ୍ୟାକ୍ଟ୍ରି ଆକ୍ଟ ରେ ସଂଶୋଧନ ଆଣି ସର୍ବନିମ୍ନ ନିଯୁକ୍ତିକୁ ୨୦ କରାଗଲା। ସେହିପରି ୨୦ରୁ ୫୦ ନିଯୁକ୍ତି ଦେଇଥିବା କାରଖାନାଙ୍କୁ ସରକାର ପ୍ରଶାସନିକ ଜଟିଳତାରୁ ମୁକ୍ତି ଦେଇଛନ୍ତି। ଏହି ସଂଶୋଧନ ଫଳରେ ସେମାନେ ଏକକାଳୀନ ପଞ୍ଜିକରଣ ସହ ଅନେକ ସୁବିଧା ପାଇପାରିବେ। କିନ୍ତୁ ନିରାପତ୍ତା, ଶମିକ ମଙ୍ଗଳ ସେମିତି କରିପାରିବେ।
୧୮)କାରଖାନା ଓଭର ଟାଇମ୍ କାର୍ଯ୍ୟକୁ ୭୫ ଘଣ୍ଟାରୁ ବଢ଼ାଇ ୧୧୫ ଘଣ୍ଟା କରି ଦିଆଯାଇଛି। ତିନିମାସ ଯାଏ ଏହା ଲାଗୁ ହେବ। ଶ୍ରମିକମାନେ ସର୍ବାଧିକ ୧୧୫ ଘଣ୍ଟା ଓଭର ଟାଇମ୍ କରାଯିବ। ମହିଳା ଶ୍ରମିକଙ୍କୁ ସମସ୍ତ କାରଖାନାରେ କାମ ପାଇଁ ଅନୁମତି ଦିଆଗଲା। ଏଣିକି ୧୮୦ ଦିନ କାମ କଲେ ଛୁଟି ଯୋଗ୍ୟ ହେବେ କର୍ମଚାରୀ। ଆଗକୁ ଏହା ୨୪୦ ଦିନ ଥିଲା। ଯେଉଁ ଉଲ୍ଲଙ୍ଘନ ପାଇଁ କୌଣସି ଜୋରିମାନା ନଥିଲା ସେଠାରେ ଅନେକ ଛୋଟ ଛୋଟ ଉଲ୍ଲଙ୍ଘନକୁ ଜୋରିମାନା ଭିତ୍ତିକ କରାଗଲା।
୧୯) ଶିଳ୍ପ ସଂସ୍ଥାମାନେ ବିନା କୌଣସି ନୋଟିସ୍ରେ ଚାକିରିରୁ ବାହାର କରିପାରିବେ। ୩୦୦ ସଂଖ୍ୟାରେ ଲୋକଙ୍କୁ ଛଟେଇ କରିପାରିବେ। ଏଥିଲାଗି ସରକାର ଇଣ୍ଡଷ୍ଟ୍ରିୟାଲ ଡିସ୍ପ୍ୟୁଟ୍ ଆଇନ୍ରେ ସଂଶୋଧନ ଆଣିଛନ୍ତି। ପୂର୍ବରୁ ସର୍ବାଧିକ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିବାର ବ୍ୟବସ୍ଥା କରିଥିଲେ।
୨୦) ସ୍ଵାସ୍ଥ୍ୟ ବିଭାଗର ଏକ ପ୍ରସ୍ତାବ ଥିଲା ଯାହାକୁ କ୍ଷମତାପନ୍ନ ମନ୍ତ୍ରିମଣ୍ଡଳ ପୂର୍ବରୁ ଅନୁମୋଦନ କରିଥିଲେ ତାହାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥିରେ ୪ଟି ନିଷ୍ପତ୍ତି ରହିଛି।