ଆଜି ରାଷ୍ଟ୍ରପତି ଭାର ସମ୍ଭାଳିବେ ଜୋ ବାଇଡେନ୍

ୱାସିଂଟନ, (ଓଡିଶା ଟାଇମ୍) :ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜୋ ବାଇଡେନ୍। ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ । ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ନେବେ। ଭାରତୀୟ ସମୟ ରାତି ପ୍ରାୟ ୧୦ ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯିବ । କୋଭିଡ-୧୯ର ମହାମାରୀ ସଂକ୍ରମଣ ଏବଂ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସାକାଣ୍ଡ ଭିଆଇବା ଆଶଙ୍କାରେ ଶପଥ ସମାରୋହକୁ କାଣ୍ଟଛାଣ୍ଟ କରାଯାଇଛି। ଏଥିପାଇଁ ୱାଶିଂଟନ୍ ଡିସି ସୁରକ୍ଷା ବଳୟରେ ପରିଣତ ହୋଇଛି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ସୁରକ୍ଷା ଦୃଷ୍ଟିରେ ଓ୍ୱାସିଂଟନ ଡିସିରେ ୧୫ହଜାରରୁ ଅଧିକ ନ୍ୟାସନାଲ ଗାର୍ଡ ମୁତୟନ ହୋଇଛନ୍ତି। ଏହାସହ ଅତିରକ୍ତ ହଜାରେ ପୋଲିସ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ଗତ ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲରେ ପଶି ହିଂସାକାଣ୍ଡ ଘଟାଇବା ପରେ ୱ୍ବାଶିଂଟନରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଛି । ଏଭଳି ସ୍ଥିତିରେ ସାରା ୱାଶିଂଟନ ଡିସି ଏବେ ସୁରକ୍ଷା ବଳୟ ପରିଣତ ହୋଇଛି। ଆମେରିକାର ଖୁଫିଆ ଏଜେନ୍ସି ଏଫବିଆଇ ମୁଖ୍ୟ ମାଟ୍ ମିଲର ନିଜେ ସୁରକ୍ଷାର ତଦାରଖ କରୁଛନ୍ତି। ସେପଟେ ସୁରକ୍ଷା ଭୟ ଥିବାରୁ ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଜୋ ବାଇଡେନ୍ ହ୍ବାଇଟ୍ ହାଉସ ବାହାରେ ଶପଥ ନେବା ପାଇଁ ଜିଦି ଧରିଥିଲେ ମଧ୍ୟ ଏଥିରେ ପରିବର୍ତ୍ତନ ହୋଇଛି। କୋଭିଡ -୧୯ ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ। ସୋସିଆଲ ଡିଷ୍ଟାନ୍ସିଂ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସମାରୋହରେ ଆମେରିକାର ସିନେଟର ଓ କଂଗ୍ରେସର ସଦସ୍ୟମାନେ ବିନା ଟିକେଟରେ ପ୍ରବେଶ କରିବେ। କିନ୍ତୁ ଅନ୍ୟ ଏକ ହଜାର ଦର୍ଶକଙ୍କୁ ଏଥିରେ ଯୋଗଦେବା ଲାଗି ଟିକେଟ ଦିଆଯାଇଛି।

Leave a Reply

Your email address will not be published. Required fields are marked *