ଟ୍ରେନ୍ ଖାଦ୍ୟ ଦର: ଦୂରହେବ ଝିନ୍‌ଝଟ୍‌

ନୂଆଦିଲ୍ଲୀ(ଓଟି): ଏଣିକି ଟ୍ରେନ୍‌ରେ ଖାଇବାକୁ ନେଇ ଆଉ ସମସ୍ୟା ଦେଖାଯିବନି। ବିଶେଷକରି ଖାଦ୍ୟର ଦରକୁ ନେଇ ଯାତ୍ରୀମାନେ ବହୁବାର ଅଭିଯୋଗ ଉଠାଉଥିଲେ ଓ ଅସନ୍ତୋଷ ରହୁଥିଲେ। ଏହାକୁ ଗୁରତ୍ଵର ସହ ବିଚାର କରି ସମସ୍ୟା ହଟାଇବାକୁ ଉଦ୍ୟମ କରାଯାଉଛି।

ସୂଚନା ଅନୁସାରେ ସୁପରଫାଷ୍ଟ ସମେତ ଅନ୍ୟାନ୍ୟ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ଦରକୁ ନେଇ ରହିଥିଲା ସମସ୍ୟା। ସାଧାରଣତଃ ରେଳବାଇ କ୍ୟାଟରିଂ କିମ୍ବା ଅଧିକୃତ ଭେଣ୍ଡରମାନଙ୍କ ଦ୍ୱାରା ଯାତ୍ରୀଙ୍କୁ ଖାଦ୍ୟ ଦିଆଯାଉଥିବାବେଳେ ଅଧିକ ହାରରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରଣାଳୟ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଉଥିବା ରେଳମନ୍ତ୍ରୀ ପୀୟୂଷ ଗୋଏଲ ଇତିମଧ୍ୟରେ ସଂସଦରେ ପ୍ରକାଶ କରିସାରିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତ ଏପ୍ରିଲ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ଟ୍ରେନ୍‌ରେ ଖାଦ୍ୟ ଦର ସମସ୍ୟାକୁ ନେଇ ୧୯୬୨ଟି ଅଭିଯୋଗ ରେଳ ମନ୍ତ୍ରଣାଳୟକୁ ମିଳିଥିଲା। ତେଣୁ ଟ୍ରେନ୍‌ରେ ଖାଦ୍ୟଦ୍ରବ୍ୟ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏଣିକି ପଏଣ୍ଟ ଅଫ୍ ସେଲ(ପିଓଏସ୍‌) ସହ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯିବ। ଖାଲି ସେତିକି ନୁହେଁ ଟ୍ରେନ୍‌ରେ ଉପଲବ୍ଧ ଖାଦ୍ୟର ମୂଲ୍ୟଚାଟ୍‌(ମେନୁ) ଟ୍ରେନ୍‌ରେ ଲଗାଯିବା ବାଧ୍ୟତାମୂଳକ ହେବ। ସେହିପରି ବିଭିନ୍ନ ୱେବ୍‌ସାଇଟ୍‌, ଖବରକାଗଜ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପତ୍ରିକାରେ ମଧ୍ୟ ସବୁ ତଥ୍ୟ ପ୍ରକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।   ଆଇଆର୍‌ସିଟିସି ସୁପରଭାଇଜର୍‌ ମଧ୍ୟ ଟ୍ରେନ୍‌ରେ ଖାଦ୍ୟ ତଦାରଖ କରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *