ଘୋଷଣା ହେଲା ଫେବୃୟାରୀପାଇଁ ନୂଆ କୋଭିଡ୍ ନିୟମାବଳୀ: ଜାରି ରହିବ କର୍ଫ୍ୟୁ କିନ୍ତୁ ସ୍ଵିଗି, ଜୋମାଟୋକୁ ଛାଡ଼
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ରାଜ୍ୟରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଫେବୃୟାରୀ ମାସର ନିୟମାବଳୀ ଘୋଷଣା କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏହି ନିର୍ଦେଶନାମା ଅନୁସାରେ ଫେବୃୟାରୀରେ ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବଭଳି ଜାରି ରହିବ। କିନ୍ତୁ ସ୍ୱିଗି, ଜୋମାଟୋ ଭଳି ହୋମ୍ ଡେଲିଭରୀ ସମେତ ଚିଲାକା ଫ୍ରେଶ୍, ଓପଲ ଫେଡ୍, ଓମ୍ଫେଡ୍ ପ୍ରଭୃତି ସେବାକୁ ଏହି କର୍ଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ରାତ୍ରୀ ୧୦ଟା ପରେ ଅନ୍ଲାଇନ୍ ଖାଦ୍ୟ ଯୋଗାଇବା ବାରଣ ହୋଇନାହିଁ।
ଏହି ମାସରେ ସରସ୍ୱତୀ ପୂଜା ଏବଂ ମାଘ ସପ୍ତମୀ ଭଳି ହିନ୍ଦୁ ପର୍ବ ପାଳନ କରାଯିବାର ବିଧି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କିଛି କଟକଣା ନିର୍ଦ୍ଧାରଣ କରାଯାଇଛି। କୋଭିଡ୍ ପ୍ରୋଟକଲ ପାଳନ କରି ଏହି ପର୍ବପର୍ବାଣୀ ପାଳନକୁ ଅନୁମତି ଦିଆଯାଇଛି। ତେବେ କୌଣସି ପ୍ରକାରେ ଗହଳିକୁ ପ୍ରଶ୍ରୟ ଦିଆଯିବ ନାହିଁ। ସ୍କୁଲ୍ କଲେଜ୍ ତଥା ଅନ୍ୟ ସଂଗଠନ ସରସ୍ୱତୀ ପୂଜା ପାଳନ କରିପାରିବେ।
ତେବେ ମାଘ ସ୍ନାନ ପାଇଁ ସମୁଦ୍ର, ନଈକୂଳରେ ଭକ୍ତଙ୍କ ଗହଳିକୁ ବାରଣ କରାଯାଇଛି। ଚନ୍ଦ୍ରଭାଗା ବୁଡ଼ ପାଇଁ ଅନୁମତି ନାହିଁ। ତେବେ ମନ୍ଦିରଗୁଡ଼ିକରେ ଏହି ବିଧି ପାଳନ କରାଯାଇପାରିବ।
ଜିଲ୍ଲା ମାଜିଷ୍ଟ୍ରେଟ୍ ଚାହିଁଲେ ପରିସ୍ଥିତିକୁ ଦେଖି ମନ୍ଦିର ଖୋଲିବା ଅନୁମତି ଦେଇପାରିବେ ବୋଲି ଏହି ନିୟମାବଳୀରେ କୁହାଯାଇଛି।
ଘରୋଇ ବା ସରକାରୀ ଅଫିସକୁ ପୂର୍ଣ୍ଣ ଭାବେ ପରିଚାଳନା କରାଯିବ। ଅର୍ଥାତ୍ ୱର୍କଫ୍ରମ୍ ହୋମ୍ ଏକ ପ୍ରକାର ବାତିଲ ହୋଇଛି ।ତେବେ ଅନ୍ଲାଇନ୍ ପ୍ଲାଟ୍ଫର୍ମଗୁଡ଼ିକର ବହୁଳ ବ୍ୟବହାର ପାଇଁ ପ୍ରୋତ୍ସାହନ ଦିଆଯାଇଛି।