ସର୍ଭେ : ସରକାର ଗଠନରୁ ୩୫-୩୯ ଆସନ ପଛରେ ରହିବ ଏନଡିଏ

୨୦୧୯ ଲୋକସଭା ନିର୍ବାଚନ ପାଖେଇ ଆସିଲାଣି। ମାର୍ଚ୍ଚ ମାସରେ ବାଜିପାରେ ନିର୍ବାଚନ ବିଗୁଲ । ନିର୍ବାଚନ ପୂର୍ବରୁ ଦେଶର ମତାଦାତାଙ୍କ ମନରେ ପ୍ରଶ୍ନ ଉଠୁଛି, ୨୦୧୯ରେ କିଏ ଗଢିବ ସରକାର । ଏନଡିଏ ନା ୟୁପିଏ । ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ମୁକୁଟ ପିନ୍ଧିବେ ନା ୨୦୦୪ଭଳି ବାଜି ମାରିନେବ କଂଗ୍ରେସ । ଏହାକୁ ନେଇ ଏବେ ଦେଶରେ ଜୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି କେତେକ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ । ଆଉ ଏହି ସର୍ଭେ ରିପୋର୍ଟ ବିଜେପି ପାଇଁ ସର୍ତକ ଘଣ୍ଟି ବଜାଇଥିବା ବେଳେ କଂଗ୍ରେସ ସ୍ଥିତିରେ ଉନ୍ନତି ଆସିଲେ ମଧ୍ୟ ସରକାର ଗଠନଠାରୁ ଅନେକ ପଛରେ ରହିବା ଅନୁମାନ କରାଯାଉଛି ।

ରିପବ୍ଲିକ ଟିଭି ପକ୍ଷରୁ କରାଯାଇଥିବା ସର୍ଭେରେ ଝୁଲା ଲୋକସଭା ପୂର୍ବାନୁମାନ କରାଯାଇଛି । ଏହି ସର୍ଭେ ଅନୁସାର ଏନଡିଏ ୨୩୩ଟି ଆସନ ପାଇବ , ୟୁପିଏ ୧୬୭ଟି ଆସନ ପାଇବ ଓ ମହାଗଠବନ୍ଧନ ୫୭ଟି ଆସନ ପାଇବ । ଓଡ଼ିଶାରେ ବିଜେପି ୧୨ଟି ଓ ବିଜେଡି ୯ଟି ଆସନ ପାଇବ ବୋଲି ଏଥିରେ କୁହାଯାଇଛି ।

ସେହିପରି ଆଜତକର ମୁଡ୍ ଅଫ୍ ଦ ନେସନ ସର୍ଭେରେ ୨୦୧୯ ନିର୍ବାଚନରେ କୌଣସି ଦଳ କିମ୍ବା ମହାମେଣ୍ଟକୁ ଏକାକୀ ବହୁମତ ମିଳିବ ନାହିଁ ବୋଲି କୁହାଯାଇଛି । ଖାସକରି ୨୦୧୯ ନିବାର୍ଚନ ମୋଦି ତଥା ବିଜେପି ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି । କାରଣ ଆଗାମୀ ନିର୍ବାଚନରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନଡିଏ । ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ୯୯ଟି ଆସନ ହରାଇପାରେ ଏନଡିଏ । ୨୦୧୪ରେ ଏନଡିଏକୁ ୩୩୬ଟି ଆସନ ମିଳିଥିବା ବେଳେ ୨୦୧୯ରେ ଏହା ୨୩୭ରେ ସୀମିତ ରହିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି । ଯଦି ଏଭଳି ସ୍ଥିତି ଉପୁଜେ ତେବେ ମ୍ୟାଜିକ ନମ୍ବର ଠାରୁ ୩୫ଟି ଆସନ ପଛରେ ରହିବ ବିଜେପି ନେତୃତ୍ୱ ଏନଡିଏ ମେଣ୍ଟ ।

ଇଣ୍ଡିଆ ଅପଫ୍ରଣ୍ଟ ଟିଭି ତରଫରୁ କରାଯାଇଥିବା ସର୍ଭେରେ ମଧ୍ୟ ବିଜେପି ନେତୃତ୍ୱାଧିନ ଏନଡ଼ିଏକୁ ବହୁମତରୁ ୫୫ଟି ଆସନ କମ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଏନଡ଼ିଏ ୨୨୭ଟି ଆସନ, ୟୁପିଏ ୭୮ଟି ଓ ଅନ୍ୟ ୨୩୮ଟି ଆସନ ମିଳିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *