ମିଳିଲା ନିଖୋଜ ସ୍ୱାତୀର ମୃତଦେହ

ନୟାଗଡ଼, (ଓଡିଶା ଟାଇମ୍) : ସ୍ବାତୀ ଆଉ ମା’ କୋଳକୁ ଫେରିଲାନାହିଁ । ମିଳିଲା ମୃତଦେହ । ନୟାଗଡ ରଣପୁର ଅନ୍ତର୍ଗତ ବଧିପାଟଣାର ନିଖୋଜ ଶିଶୁ ସ୍ବାତୀର ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ହେବାର ୫ ଦିନ ପରେ ୩ ବର୍ଷ ଶିଶୁ କନ୍ୟା ସ୍ବାତୀର ମୃତଦେହ ଏକ ପୋଖରୀରେ ଭାସୁଥିବା ବେଳେ ଦେଖି ପୋଲିସକୁ ଖବର ଦିଆଯାଇଥିଲା ।

ଗତ ଶୁକ୍ରବାର ସ୍ବାତୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ସ୍ବାତୀର କୌଣସି ପତ୍ତା ପାଇ ନ ଥିଲେ। ଶେଷରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ। ପରୀ ହତ୍ୟାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୁଣି ଏକ ଶିଶୁ ନିଖୋଜ ଘଟଣାକୁ ଅଧିକ ଜଟିଳ କରିଥିଲା।

ସ୍ବାତୀ କୁଆଡ଼େ ଗଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଗାଁର ଆଉ ଏକ ସାହିରେ ଥିବା ପୋଖରୀରୁ ଆଜି ତା’ର ମୃତଦେହ ମିଳିବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ସ୍ବାତୀର ମୃତ୍ୟୁ କିପରି ହେଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

 

Leave a Reply

Your email address will not be published. Required fields are marked *