ଜିଡିପି ଅଭିବୃଦ୍ଧିରେ ଖଣିଜ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, (ଓଟି) : ଭାରତୀୟ ଅର୍ଥନୀତିର ବିକାଶ ଧାରାରେ ଖଣିଜ ସମ୍ପଦ ତଥା ଏହା ଉପରେ ନିର୍ଭରଶୀଳ ଶିଳ୍ପର ଗୁରୁତ୍ୱପୂଣ୍ଣ ଭୂମିକା ରହିଛି । ନୂତନ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ଅର୍ଥନୀତି ପ୍ରତି ଖଣିଜ ଶିଳ୍ପର ଅବଦାନ ବୃଦ୍ଧି ପାଇପାରିବ । ଏପରିକି ଆସନ୍ତା ୧୦ ବର୍ଷରେ ଏହି ଅବଦାନ ୨.୫ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ ବୋଲି ନାଲ୍କୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ କହିଛନ୍ତି ।
ଫିମି ପକ୍ଷରୁ ଆୟୋଜିତ “ସଷ୍ଟେନେବଲ୍ ମାଇନିଂ ସମ୍ମିଟ୍’ର ଉଦ୍ଘାଟନୀ ଅବସରରେ ଶ୍ରୀ ଚାନ୍ଦ କହିଛନ୍ତି, ୯୦ଟି ପ୍ରମୁଖ ଓ ଗୌଣ ଖଚ୍ଚିଜ ସମ୍ପଦରେ ଭାରତ ପ୍ରାଚୁର୍ଯ୍ୟମୟ ରହିଛି । ଏ କ୍ଷେତ୍ରରେ ବିକାଶ ଦ୍ୱାରା ଦେଶର ଜିଡିପିରେ ବୃଦ୍ଧି ହୋଇ
ପାରିବ । ଜିଡିପିକୁ ଆଗାମୀ ୫ ବର୍ଷରେ ୨.୬୭ ଟ୍ରିଲିଅନ୍ ଡଲାରରୁ ୫.୦୦ ଟ୍ରିଲିଅନ୍ ଡଲାରକୁ ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଖଣି ଉଦ୍ୟୋଗ ଏ ଦିଗରେ ଉଲ୍ଲେଖନୀୟ ଅବଦାନ ଦେବା ପାଇଁ ଆଗଭର ହେବା ଉଚିତ । ୩ଡି ପେଣ୍ଟିଂ, ୩-ଡି ମ୍ୟାପିଂ, ସିମୁଲେସନ୍ ମଡେଲିଂ, ଡ୍ରୋନ୍ ବ୍ୟବହାର ଆଦି ଭଳି ନୂତନ ବୈଷୟିକ ଜ୍ଞାନକୌଶଳ, ନୂତନତ୍ୱ ଏବଂ ଖଣି ଖନନ ଦିଗରେ ଆଧୁନିକ ବ୍ୟବସ୍ଥାର ଅବଲମ୍ବନ ଦ୍ୱାରା ଜାତୀୟ ଅର୍ଥନୈତିକ ବିକାଶ ସାଙ୍ଗକୁ ଖଣିଜ କ୍ଷେତ୍ରର ଅବଦାନ ଆଗାମୀ ୧୦ ବର୍ଷରେ ୨.୫ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି ପାଇପାରିବ ବୋଲି ଡ. ଚାନ୍ଦ କହିଛନ୍ତି ।
ଡଃ ଚାନ୍ଦ ଆହୁରି ମଧ୍ୟ କହିଥିଲେ ଯେ ବିନା କୌଣସି ବର୍ଜ୍ୟ ସହ ଖନନ, ବୈଜ୍ଞାନିକସମ୍ମତ ପ୍ରଣାଳୀରେ ଖନନ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଆଦି ଦ୍ୱାରା ସର୍ବାଧିକ ଲାଭଜନକ ଭାବେ ଖଣିଜ ସମ୍ପଦ ଖନନ କରାଯାଇପାରିବ । ଏଥି ସହିତ, ଡିଷ୍ଟ୍ରିକ୍ଟ୍ ମିନେରାଲ୍ ଫଣ୍ଡ୍ର ଉପଯୋଗରେ ଶିଳ୍ପସଂସ୍ଥାର ପ୍ରତିନିଧିମାନଙ୍କୁ ସଂଶ୍ଳିଷ୍ଟ କରାଗଲେ ଖଣି ଅଞ୍ଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ ।
ଏହି ଅବସରରେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ, ଶିଳ୍ପ ବିଭାଗ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ ଚୋପ୍ରା, ଶିଳ୍ପସଂସ୍ଥାଗୁଡ଼ିକୁ ଉତ୍ତମ କର୍ପୋରେଟ୍ ନାଗରିକ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଖଣି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଖନନ ଉଦ୍ୟୋଗ ମଧ୍ୟରେ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଫିମିର ସଭାପତି ଶ୍ରୀ ସୁନୀଲ ଦୁଗଲ୍, ଫିମିର ଉପସଭାପତି ଶ୍ରୀ ଆର୍.ଏଲ୍. ମହାନ୍ତି ଏବଂ ଫିମିର ସାଧାରଣ ସମ୍ପାଦକ ଶ୍ରୀ ଆର୍.ପି. ଶର୍ମା ପ୍ରମୁଖ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ ।