ଆଜିଠୁ ସକାଳୁଆ ପାଠପଢା
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢା ହେବ। ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଥିଲା। ଏବେ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଚାଲିଛି। ଏହି ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ମଧ୍ୟରେ ଶେଷ ହେବ। ତେବେ ବିଦ୍ୟାଳୟ ସମୟକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଓ ଅଖିଳ ଭାରତ ଛାତ୍ର ସଂଘ ପକ୍ଷରୁ ବିରୋଧ କରାଯାଇଛି।
ଏନେଇ ଖୁବ୍ ଶୀଘ୍ର ବିଭାଗର ବରିଷ୍ଠ ପଦାଧିକାର ଓ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କର ଏକ ସମୀକ୍ଷା ବୈଠକ କରାଯିବ। ବୈଠକ ପରେ ସମୟ କମାଇବା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତାକାଲିଠାରୁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଏବଂ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୯ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଦଶମ ଓ ଦ୍ବାଦଶ ବିଦ୍ୟାର୍ଥୀଙ୍କ ପାଠପଢାକୁ ବିଭାଗ ପକ୍ଷରୁ ସମୀକ୍ଷା କରାଯିବ। ସମୀକ୍ଷା ପରେ କେତେ ପାଠ୍ୟକ୍ରମ ସରିଛି ତାକୁ ଦୃଷ୍ଟିରେ ରଖି ସମୟ ପରିବର୍ତ୍ତନ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ। ତେବେ ଦଶମ ଓ ଦ୍ବାଦଶ ବିଦ୍ୟାର୍ଥୀଙ୍କ ସମୟକୁ ଆବଶ୍ୟକସ୍ଥଳେ ଏକ ଘଣ୍ଟା ହ୍ରାସ କରାଯିବ। ତେବେ ଏନେଇ ବିଭାଗ ପକ୍ଷରୁ ସମୀକ୍ଷା କରାଯିବା ପରେ ନିଷ୍ପତ୍ତି ହେବ।
ତେବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରିବାକୁ (ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରୁ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ ଆଣି ସ୍କୁଲରେ ମହଜୁଦ୍ ରଖିବାକୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ଉପରେ କଟକଣା ଲଗାଯାଇଛି। କୋଭିଡ୍-୧୯ ପରେ ଯେଉଁ ବିଦ୍ୟାଳୟ ଗୁଡ଼ିକ ପରିବହନ ସେବା ବନ୍ଦ ରଖିଛନ୍ତି ସେମାନେ ପୁଣିଥରେ ଆରମ୍ଭ କରିପାରିବେ। ରାଜ୍ୟରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।