ଚିନ୍ତା ବଢାଉଛି କେରଳ ଏବଂ ମହାରାଷ୍ଟ୍ର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଅନଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । କିନ୍ତୁ କିଛି ରାଜ୍ୟରେ ବର୍ତ୍ତମାନ ମଧ୍ୟ ସ୍ଥିତି ସଙ୍କଟଜନକ ରହିଛି । ସଂକ୍ରମଣ ହାର ମଧ୍ୟ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ପ୍ରେସ୍‌ କନଫରେନ୍ସ ଯୋଗେ କୁହାଯାଇଛି ଯେ, ସଂକ୍ରମଣ ହାର ଲଗାତାର ଭାବେ କମୁଛି କିନ୍ତୁ ମାତ୍ର ୨ଟି ରାଜ୍ୟ କେରଳ ଏବଂ ମହାରାଷ୍ଟ୍ରରେ ଦେଶର ମୋଟ ସଂକ୍ରମଣ ହାରର ୫୦ ପ୍ରତିଶତରୁ ବି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ମୋଟ ୪.୩୧ ଲକ୍ଷ ଆକ୍ଟିଭ୍‌ କେସ୍ ରହିଥିବା ବେଳେ ସୁସ୍ଥ ହାର ରହିଛି ୯୭.୩ ପ୍ରତିଶତ । ଦେଶର ୭୩ ଜିଲ୍ଲାରୁ ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ବ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯେତେବେଳେକି ଜୁନ ୨ ତାରିଖ ସୁଦ୍ଧା ଦେଶର ୨୬୨ ଜିଲ୍ଲା ଏବଂ ମେ ୪ ତାରିଖ ସୁଦ୍ଧା ଦେଶର ୫୩୧ଟି ଜିଲ୍ଲାରୁ ପ୍ରତିଦିନ ଶହେରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିଲା ।

ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି, ଦେଶରେ କରୋନାର ଦ୍ବିତୀୟ ଲହର ପ୍ରଭାବ କମିବାରେ ଲାଗିଛି । କିନ୍ତୁ କେରଳ ଏବଂ ମହାରାଷ୍ଟ୍ର ସମେତ ଦେଶର ୫ ରାଜ୍ୟର ସ୍ଥିତି ଚିନ୍ତାଜନକ ରହିଛି । ଏହିଠାରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେବଳ ମହାରାଷ୍ଟ୍ର ଏବଂ କେରଳ ଏହି ୨ଟି ରାଜ୍ୟରେ ସଂକ୍ରମଣ ହାର ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ମୋଟ ଆକ୍ରାନ୍ତ ୫୦ ପ୍ରତିଶତରୁ ଅଧିକ । ସେହିଭଳି ତାମିଲନାଡୁ, ଆନ୍ଧ ପ୍ରଦେଶ ଏବଂ ଓଡିଶାରେ ମଧ୍ୟ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ବାଦ୍ ଅରୁଣାଚଳ, ତ୍ରିପୁରା, ମିଜୋରାମ, ମଣିପୁରରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି ।

Leave a Reply

Your email address will not be published. Required fields are marked *