ବିଧାୟକଙ୍କ କାର୍‌କୁ ଫାଇନ, ବେଆଇନ ଭାବେ ଶ୍ରୀମନ୍ଦିର ସମ୍ମୁଖ ରାସ୍ତାରେ କରିଥିଲା ପ୍ରବେଶ

ପୁରୀ, (ଓଡିଶା ଟାଇମ୍): ବିଧାୟକଙ୍କ କାର୍‌କୁ ଫାଇନ୍ । ଶ୍ରୀମନ୍ଦିର ସମ୍ମୁଖ ରାସ୍ତାରେ ବିଧାୟକଙ୍କ ଚାରିଚକିଆ ଯାନ ନିୟମ ଉଲ୍ଲଘଂନ କରି ପ୍ରବେଶ କରିବା ଘଟଣାକୁ ନେଇ ପୁରୀ ପୋଲିସ ଚାଲାଣ କାଟିଛି। ଭଦ୍ରକ  ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟଙ୍କ କାରକୁ ପୁରୀ ପୋଲିସ ୨ ହଜାର ଟଙ୍କା ଫାଇନ କରିଛି। ଏହାକୁ ନେଇ ପୁରୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାସହ  ପୁରୀ ଏସପି କେ ବିଶାଳ ସିଂଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଚାରିପାଖରେ ଭିଡ଼କୁ ଦୃଷ୍ଟିରେ ରଖାଯାଇ ନୋ ପାର୍କିଂ ଜୋନ୍ କରାଯାଇ ଥିଲା। ସେହିପରି ଶ୍ରୀମନ୍ଦିର ସମ୍ମୁଖରେ କୌଣସି ଚାରିଚକିଆ ଯାନ ଯାତାୟାତ ନେଇ କଟକଣା ଜାରି କରାଯାଇ ଥିଲା। ଏହାକୁ ଉଲଘଂନ କଲେ ପୁରୀ ପୋଲିସ ପକ୍ଷରୁ ପ୍ରତିଦିନ ପାଟ୍ରୋଲିଂ କରାଯାଇ ଫାଇନ କଟାଯାଉଛି।

ତେବେ ବୁଧବାର ବିଧାୟକଙ୍କ ଗାଡି କିଭଳି ଶ୍ରୀମନ୍ଦିର ସମୁଖରେ ପ୍ରବେଶ କଲା ସେ ନେଇ କିଛି ସ୍ବେଚ୍ଛାସେବୀ ସୋସିଆଲ ମିଡିଆରେ ଭିଡିଓ ଛାଡ଼ି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ। ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ବିଧାୟକଙ୍କ ଗାଡିକୁ ୨ ହଜାର ଟଙ୍କା ଜରିମାନା କରାଯାଇଛି।

Leave a Reply

Your email address will not be published. Required fields are marked *