ନିର୍ବାଚନରେ କମ୍ପ୍ୟୁଟର ବାବା-ମିର୍ଚ୍ଚି ବାବାଙ୍କ ହରକତ୍
ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ଆସନ ଉପରେ ପୂରା ଦେଶର ରହିଥିଲା ନଜର। କିଛି ବଡ଼ ଧରଣର ପରିବର୍ତ୍ତନ ଘଟିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ମୋଦୀଙ୍କ ସୁନାମୀରେ ବିରୋଧୀଙ୍କ ସବୁ ଆଶା ଧୂଳିସାତ ହୋଇଯାଇଛି।
ନିର୍ବାଚନ ସମୟରେ ଯେଉଁ ପ୍ରମୁଖ କିଛି ହଟ୍ ସିଟ୍ ଚର୍ଚ୍ଚାକୁ ଆସିଥିଲା ତା’ମଧ୍ୟରେ ଥିଲା ଭୋପାଳ ଲୋକସଭା ଆସନ। ଏହି ଆସନରୁ କଂଗ୍ରେସ ଟିକେଟରେ ଲଢୁଥିଲେ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏବଂ ବିଜେପି ଟିକେଟରେ ଲଢୁଥିଲେ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର।

ହିନ୍ଦୁତ୍ୱ ଭୋଟକୁ ନିଜ ପଟକୁ ନେବା ପାଇଁ ଦିଗବିଜୟ ସାଧୁ ସନ୍ଥଙ୍କର ବଡ଼ ସହଯୋଗ ଲୋଡିଥିଲା ବେଳେ ତାଙ୍କ ପାଇଁ ଯେଉଁ ଦୁଇସନ୍ଥ ଖୋଲାଖୋଲି ପ୍ରଚା ମଇଦାନକୁ ଆସିଥିଲେ ସେମାନେ ହେଉଛନ୍ତି ମହାମଣ୍ଡଳେଶ୍ୱର ସ୍ୱାମୀ ବୈରଗ୍ୟାନନ୍ଦ ଏବଂ ନାମଦେବ ତ୍ୟାଗୀ। ପରେ ଏହି ଦୁଇ ସନ୍ଥ ଯଥାକ୍ରମେ କମ୍ପ୍ୟୁଟର ବାବା ଓ ମିର୍ଚ୍ଚି ବାବା ନାମରେ ପରିଚିତ ହୋଇଥିଲା। ଫଳାଫଳ ପ୍ରକାଶ ପାଇବା ପରେ ଏହି ଦୁଇବାବା ଏକରକମ ଗାଏବ ହୋଇଯାଇଥିଲେ। ହେଲେ ଏବେ ଏହି ଦୁଇବାବାଙ୍କୁ ନେଇ ଅନେକ ଖବର ପଦାକୁ ଆସିଛି ଓ ସେମାନେ ମଧ୍ୟ ମୁହଁ ଖୋଲିଲେଣି।

ଦିଗବିଜୟଙ୍କ ପରାଜୟ ପରେ ନିଖୋଜ ଥିବା ମିର୍ଚ୍ଚି ବାବାଙ୍କୁ ଲୋକେ ଖୋଜିବା ଆରମ୍ଭ କରିଥିଲେ। ପ୍ରଚାର ସମୟରେ ଦିଗବିଜୟଙ୍କ ବିଜୟ ନେଇ ବଡ଼ ଦାବି କରୁଥିବା ମିର୍ଚ୍ଚି ବାବା ୫ କୁଇଣ୍ଟାଲ ନାଲି ଲଙ୍କାରେ ଯଜ୍ଞ କରିଥିଲେ। ଆଉ ସେ ଏହା ମଧ୍ୟ କହିଥିଲେ ଯେ, ଯଦି ଦିଗି ନିର୍ବାଚନ ହାରିଯାଆନ୍ତି ତେବେ ମୁଁ ସୁରଟରେ ଯଜ୍ଞ କୁଣ୍ଡରେ ସମାଧି ନେବି।
ବିଜେପି କର୍ମକର୍ତ୍ତାମାନେ ଭୋପାଳରେ ଏହି ମିର୍ଚ୍ଚି ବାବାଙ୍କୁ ନିଖୋଜ ଥିବା ଦର୍ଶାଇ ସେ ସମାଧି ନେଲେଣି ନାହିଁ ତାହାର ଚୁଟକି ନେଉଛନ୍ତି। ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ମିର୍ଚ୍ଚି ବାବାଙ୍କ ଉପରେ ସାଧୁସନ୍ଥ ଗୋଷ୍ଠୀମାନେ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ନେଇଛନ୍ତି। ଏବେ ପଞ୍ଚାୟତି ନିରଞ୍ଜନି ଆଖଡା ତାଙ୍କୁ ଏହି ଆଖଡାରୁ ବାହାର ରାସ୍ତା ଦେଖାଇବା ସହ ମହାମଣ୍ଡଳେଶ୍ୱର ପଦବୀ ମଧ୍ୟ ପ୍ରତ୍ୟାହାର କରିନେଇଛି।

ସାଧ୍ୱୀ ପ୍ରଜ୍ଞାଙ୍କୁ ବିରୋଧ କରିବା ମିର୍ଚ୍ଚି ବାବାଙ୍କୁ ମହଙ୍ଗା ପଡିଛି। ଦିଗିଙ୍କୁ ସମର୍ଥନ ଦେଇଥିବା ଏବଂ ତାଙ୍କ ପାଇଁ ଯଜ୍ଞ କରିଥିବା କମ୍ପ୍ୟୁଟର ବାବା ଓରଫ ନାମଦେବ ତ୍ୟାଗୀ ଏବେ ମୋଦୀଙ୍କ ପ୍ରଶଂସାରେ ଶତମୁଖ। ସେ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବେ ଏବଂ ଗଙ୍ଗା ସଫେଇ କରିବେ ତେବେ ସମସ୍ତ ସାଧୁସନ୍ଥ ତାଙ୍କୁ ସମର୍ଥନ ଦେବେ। ମୁଁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି।
ଆମେ ସାଧୁ କୌଣସି ରାଜନୈତିକ ଦଳ ସହ ବାନ୍ଧି ହୋଇନାହୁଁ। ହେଲେ ଦେଶର ନିର୍ମାଣରେ ଆମେ ନିଶ୍ଚିତ ସମର୍ଥନ ଦେବୁ। ଦିଗବିଜୟଙ୍କ ପରାଜୟ ହେଲେ ସମାଧି ନେବା କଥା ପ୍ରଶ୍ନ ଉତ୍ତରରେ ସେ କହିଛନ୍ତି ଯେ, ମୁଁ କେବେ ବି ସମାଧି ନେବି ବୋଲି କହିନଥିଲି।
ସ୍ୱାମୀ ବୈରାଗ୍ୟାନନ୍ଦ ସମାଧି ନେବା କଥା କହିଥିଲେ। ସେ ଆହୁରି କହିଛନ୍ତି ଯେ, ମୁଁ କଂଗ୍ରେସର ଜଣେ ସଦସ୍ୟ ନୁହେଁ। ଯଦି ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ କଂଗ୍ରେସ ଭଲ କାମ ନକରେ ତେବେ ଆମେ କଂଗ୍ରେସକୁ ପୁଣି ଥରେ ସରକାର ଗଢିବାକୁ ଦେବୁନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ, କମ୍ପ୍ୟୁଟର ବାବା ନିର୍ବାଚନ ପୂର୍ବରୁ ଦିଗବିଜୟଙ୍କ ବିଜୟ ନେଇ ଏକ ହଟ ଯୋଗ କରିଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଶହଶହ ସଂଖ୍ୟାର ସାଧୁସନ୍ଥଙ୍କୁ ଏଥିରେ ସାମିଲ କରାଇଥିଲେ। ସେ ମଧ୍ୟ କହିଥିଲେ ଯେ, ଦିଗବିଜୟ ନିଶ୍ଚୟ ଜିତିବେ। ଯଦି ହାରିଯାଆନ୍ତି ମୁଁ ସମାଧି ନେବି। ହେଲେ ଏବେ ଫଳାଫଳ ଆସିବା ପରେ ନିଜର ସଫେଇ ଦେଇ ଏପରି କଥା କହିନଥିବା ସେ ଉଲ୍ଲେଖ କରିଛନ୍ତି।
ତେବେ ରାଜନୀତିରେ ସାଧୁସନ୍ଥଙ୍କର ଏଭଳି ପ୍ରତ୍ୟକ୍ଷ ଯୋଗଦାନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନ୍ୟ ସାଧୁ-ସନ୍ଥମାନେ ମତ ଦେଇଛନ୍ତି।