ମାଲକାନଗିରି ପୁଲିସକୁ ବଡ ସଫଳତା ; ବ୍ୟାପକ ଗୁଳି ଓ ବୋମା ଜବତ
ମାଲକାନାଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲାରେ ପୁଣି ଠାବ ହେଲା ମାଓ କ୍ୟାମ୍ପ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ପୋଲିସକୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି । ଜୋଡାମ୍ବ ଥାନା ଅନ୍ତର୍ଗତ ଅଣ୍ଡ୍ରାପାଲ୍ଲି ଗାଁ ନିକଟସ୍ତ ଓରାପଦର ଜଙ୍ଗଲରେ ଏସ.ଓ.ଜି, ଡି.ଭି.ଏଫ ଏବଂ ବି.ଏସ.ଏଫ ବାହିନିର ମିଳିତ କୁମ୍ବିଂ ଅପରେସନ ବେଳେ ଜବତ ହୋଇ ଏହି ସବୁ ବିସ୍ଫୋରକ ।
ଖବର ଅନୁଯାୟୀ, ନକ୍ସଲପନ୍ଥୀ ଆନ୍ଧ୍ର ଓଡିଶା ସୀମାନ୍ତ ସ୍ପେଶାଲ ଜୋନାଲ କମିଟିର କ୍ୟାଡର ମାନେ ଗତ କିଛି ଦିନ ଧରି ଓରାପଦର ଜଙ୍ଗଲରେ ମାଓ କ୍ୟାମ୍ପ କରି ରହୁଥିଲେ । ଯାହାର ଗୁଇନ୍ଦା ସୂଚନା ପୋଲିସକୁ ମିଳିଥିଲା । ଏହା ପରେ ସୁରକ୍ଷାକର୍ମୀମାନେ ଆଜି ସକାଳେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ଛାଡିଯାଇଥିଲେ ମାଓ ସାମଗ୍ରୀ ।
ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ନକ୍ସଲ ସାମଗ୍ରୀକୁ ଜବତ କରିବା ସହ ମାଓ କ୍ୟାମ୍ପକୁ ନଷ୍ଟ କରିଛନ୍ତି । ତେବେ ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ୯୩ ଟି ୩.୩ ରାଇଫଲର ଗୁଳି, ୫୫ ଟି ୯ ଏମ.ଏମ. ପିସ୍ତଲର ଗୁଳି, ୧୩ ଟି ଇଲେକଟ୍ରନିକ ଡିଟୋନିଟର, ୧୪ ଟି ଲ୍ୟାଣ୍ଡମାଇନ ଓ କିଛି ନକ୍ସଲ ପ୍ରଚାର ପତ୍ର ମିଳିଛି । ସ୍ବାଭିମାନ ଅଞ୍ଚଳରେ ନକ୍ସଲ ମାନେ ଏକ ବଡ ଧରଣର ହିଂସା କାଣ୍ଡ କରିବାକୁ ଯୋଜନା କରୁଥିଲେ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।