ମହାରାଷ୍ଟ୍ରରେ କରୋନା ଗ୍ରାଫ୍‌ ଉପର ମୁହାଁ, ତୃତୀୟ ଲହର ନେଇ ଆଶଙ୍କା

ମହାରାଷ୍ଟ୍ର, (ଓଡିଶା ଟାଇମ୍): ଦେଶରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରୁ ଆରମ୍ଭ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର ବଢ଼ିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ମହାରାଷ୍ଟ୍ରରେ ୯ ହଜାର ୮୪୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୧୯୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବୁଧବାର ଦିନ ୧୦,୦୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସଂକ୍ରମଣ ହାର ପୁଣି ଉପରମୁହାଁ ହେଉଥିବାରୁ ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି।

ଜୁନ୍ ୧୬ ତାରିଖରେ ମହାରାଷ୍ଟ୍ରରେ ୧୦ ହଜାର ୧୦୭ ପଜିଟିଭ୍ ବାହାରିଥିଲା। ଏହାପରେ ଗୋଟିଏ ସପ୍ତାହ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହିଥିଅଲା। ହେଲେ ବୁଧବାରଠାରୁ କରୋନା ଗ୍ରାଫ ପୁଣି ଉପରମୁହାଁ ହେବା ଫଳରେ ଏହା ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ, ମହାରାଷ୍ଟ୍ରରେ ୨୧ଟି ଡେଲଟା ପ୍ଲସ୍‌ ଭାରିଏଣ୍ଟ ଚିହ୍ନଟ ହୋଇଥିବାରୁ ସତର୍କ ରହିବାକୁ ମହାରାଷ୍ଟ୍ର ସରକାର ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ କରୋନା କଟକଣା ହଟାଇବା ଲାଗି ତରବରିଆ ଭାବେ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଏହାସହ ସମସ୍ତ ଜିଲ୍ଲାରେ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅମ୍ଲଜାନ, ବେଡ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ପଜିଟିଭ୍‌ ସଂଖ୍ୟା ୬,୦୦,୭,୪୩୧ ଥିବାବେଳେ ଆକ୍ଟିଭ୍‌ କେସ୍‌-୧,୨୧,୭୬୭ ରହିଛି ଓ ୧,୧୯,୮୫୯ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ପୁଣେରେ କେବଳ ୧୬,୪୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୁମ୍ବାଇରେ ୧୩,୩୪୮ ଜଣଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *