ଆଫଗାନିସ୍ତାନରେ ଗମ୍ଭୀର ହେଉଛି ସ୍ଥିତି, ଫଶି ରହିଛନ୍ତି ୨ ହଜାର ଭାରତୀୟ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ କଣ ଚାଲିଛି ପୂରା ବିଶ୍ବ ଏବେ ୱେଟ ଆଣ୍ଡ ୱାଚ ମୋଡରେ ରହିଛି। ସତରେ କଣ ତାଲିବାନ ବଦଳିଯାଇଛି, ଏହା ପରୀକ୍ଷା କରିବାକୁ ଧର୍ଯ୍ୟରେ ଅପେକ୍ଷା କରିଛି ବିଶ୍ୱ। ଆଫଗାନିସ୍ତାନରେ ଫସି ରହିଥିବା ନିଜ ନିଜ ନାଗରିକଙ୍କୁ ଫେରାଇ ଆଣିବା ଲାଗି ବିଭିନ୍ନ ଦେଶ ପ୍ରକ୍ରିୟା ଜାରି ରଖିଛନ୍ତି । ଏତିକିବେଳେ ତାଲିବାନକୁ ଚ୍ୟାଲେଞ୍ଜ ଦେବା ଲାଗି ରାସ୍ତାକୁ ଓହ୍ଲାଇଛନ୍ତି ଶହଶହ ମହିଳା ।

ଯାହା ଘନି ସରକାର ସାହସ କଲାନି, ତାହା ଏବେ ଏହି ମହିଳାମାନେ ସାହସ କରିଛନ୍ତି। ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଶହଶହ ମହିଳା। ଆଫଗାନିସ୍ତାନରେ ଆଜି ଥିଲା ସ୍ବାଧୀନତା ଦିବସ। ୧୯୧୯ ଅଗଷ୍ଟ ୧୯ର ଦିନକୁ ମନେ ପକାଇ ରାସ୍ତାକୁ ଓହ୍ଲାଇ ସ୍ବାଧୀନତା ଦିବସ ପାଳିଛନ୍ତି ଜନତା। ଦେଶରେ ଆରମ୍ଭ ହୋଇଛି ଫ୍ଲାଗ ମୁଭମେଣ୍ଟ।  ତାଲିବାନ ପତାକା ଆଗରେ ଆଫନିସ୍ତାନ ପତାକାକୁ ନଇଁବାକୁ ଦେବେ ନାହିଁ ଏମିତି ନାରା ଦେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅବଦୁଲ ହକ ସ୍କୋୟାରରେ ଜଣେ ଯୁବକ ପୋଲ ଉପରେ ଚଢ଼ି ଆଫଗାନିସ୍ତାନ ପତାକା ଉଡ଼଼ାଇଛନ୍ତି।

ଯେତେବେଳେ ଆଫଗାନିସ୍ତାନ ରାଷ୍ଟ୍ରପତି ଦେଶ ତାଲିବାନଙ୍କ ହାତରେ ଛାଡ଼ି ଚାଲିଯାଇଛନ୍ତି ସେତେବେଳେ ଆଫଗାନିସ୍ତାନ ବାସୀମୁଣ୍ଡ ଟେକିଛନ୍ତି। ସେପଟେ ଭିଡିଓ ଜାରି କରି ସ୍ପଷ୍ଟୀ କରଣ ରଖିଛନ୍ତି ରାଷ୍ଟ୍ରପତି ଆଶ୍ରଫ ଘନି। ସ୍ଥିତି ସେମିତି ହୋଇଥିଲା ଯେଉଁଥିପାଇଁ ତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଲା, ସେ ଟଙ୍କା ନେଇ ଯାଇନାହାନ୍ତି ବୋଲି ସଫେଇ ଦେଇଛନ୍ତି।

କାବୁଲ ବିମାନ ବନ୍ଦରରେ ସ୍ଥିତି ଏବେବି ଅଣାୟତ୍ତ ରହିଛି। ବିମାନ ବନ୍ଦରରେ ଭିଡ଼ କରୁଥିବା ଲୋକଙ୍କୁ ଘରକୁ ଯିବାକୁ ତାଗିଦ କରିଛି ତାଲିବାନ ଫୋର୍ସ। ଏପରିକି ସେଠାରେ ଥିବା ଲୋକଙ୍କ ଉପରେ ଆତ୍ୟାଚାର ଜାରି ରଖିଛି। ଗୁଳି ଚଳାଇବାକୁ ବି ପଛାଇନି। ହେଲେ ଦେଶରୁ ପଳାୟନ କରିବାକୁ ଚାହୁଁଥିବା ଲୋକଙ୍କ ଭିଡ଼ କମୁନାହିଁ। ଏକ ଶିଶୁକୁ କେମିତି ବି ହେଉ ବାପାମା ବିଦେଶକୁ ପଠାଇ ଦେବାକୁ ଚାହୁଁଛନ୍ତି। ଅଜଣା ହାତରେ ପାର୍ସଲ ଭଳି ପଠାଇ ଦେଉଛନ୍ତି। ମୋ ପିଲାକୁ ନେଇଯାଅ ମୁଁ ଯାଏ କି ନଯାଏ । ଏମିତି ଆତ୍ମବିକଳରେ ଚିଲ୍ଲାଉଛନ୍ତି ନାଗରିକ ।

ଫସି ରହିଥିବା ୨ ହଜାର ଭାରତୀୟ କେବେ ଫେରିବେ ଦେଶକୁ। ଆଫଗାନିସ୍ତାନରେ ତାଲିବାନର ବର୍ବରତା ବଢ଼ି ଚାଲିଥିବା ବେଳେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ସେମାନଙ୍କୁ ଆଣିବାକୁ ଯିବ। କିନ୍ତୁ ବାୟୁସେନାର ବିମାନ ଯିବା ପାଇଁ ଅନୁମତି ମିଳୁନାହିଁ। ଆଫଗାନିସ୍ତାନରେ ଭାରତୀୟ ମାନେ ବିଭିନ୍ନ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏପରି ସ୍ଥିତିରେ ଭାରତୀୟ ବାୟୁସେନା ବିମାନ ଯିବାକୁ ଅନୁମତି ମିଳିଲେ ହିଁ କାବୁଲ ଯାଇ ଭାରତୀୟଙ୍କୁ ଅଣାଯାଇପାରିବ। ଭାରତ ସ୍ଥିତି ଉପରେ ନଜର ରଖିଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର ।

Leave a Reply

Your email address will not be published. Required fields are marked *