ବିଶ୍ୱ ନେତୃତ୍ୱ ପାଇଁ ମୁଣ୍ଡବିନ୍ଧା ପାଲଟିଛି କିମଙ୍କ ଲିମୋଜିନ କାର

ଉତ୍ତରକୋରିଆର ମୁଖ୍ୟ କିମ ଜୋଙ୍ଗ ଉନଙ୍କୁ ନେଇ ଚର୍ଚ୍ଚା ସବୁବେଳେ ରହିଆସିଛି। ଏହି ରାଷ୍ଟ୍ରମୁଖ୍ୟଙ୍କ ନେତୃତ୍ୱ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା ବେଳେ ତାଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି ଏହି ଦେଶର ବିକାଶ ଓ ସାମାଜିକ ବ୍ୟବସ୍ଥା ରହସ୍ୟମୟ ରହିଛି।

ତେବେ ବର୍ତ୍ତମାନ କିମ ଯେଉଁ କାରଣରୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାହା ହେଉଛି ସେ ବ୍ୟବହାର କରୁଥିବା ଲିମୋଜିନ କାର। କିପରି ସେ ଏହି କାର ବ୍ୟବହାର କରୁଛନ୍ତି ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା ବେଳେ ବିଶ୍ୱ ନେତୃତ୍ୱ ପାଇଁ ମୁଣ୍ଡବିନ୍ଧା ପାଲଟିଛି।

ଗତ ସପ୍ତାହରେ କିମ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ରୁଷରେ ସାକ୍ଷାତ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ତେବେ ଏହି ବୈଠକ ଅପେକ୍ଷା ପୁଟିନଙ୍କୁ ଭେଟିବା ପାଇଁ ଯେଉଁ କାରରେ କିମ ଆସିଥିଲେ ତାକୁ ନେଇ ସମସ୍ତେ ଚିନ୍ତାରେ ପଡିଥିଲେ। କାରଣ ଏହି କାରଟି ଲିମୋଜିନ କାର ଥିଲା। ବ୍ୟକ୍ତି ବିଶେଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର ତିଆରି ହୋଇଥାଏ। ତେବେ ଉତ୍ତରକୋରିଆ ମୁଖିଆ ଏହି କାର ବ୍ୟବହାର କରିବା ଚର୍ଚ୍ଚାକୁ ଆସିଛି।

କାରଟି ଚର୍ଚ୍ଚାକୁ ଆସିବାର କାରଣ ହେଉଛି ଉତ୍ତରକୋରିଆ ଉପରେ ଆମେରିକା ସମେତ ଜାତିସଂଘ ପକ୍ଷରୁ କଟକଣା ଲଗାଯାଇଛି। ପରମାଣୁ କାର୍ଯ୍ୟକ୍ରମ ଉପରେ ଉତ୍ତରକୋରିଆ ଜୋର ଦେଉଥିବାରୁ ଏହି କଟକଣା ଲାଗିଛି। ଏହାଦ୍ୱାରା ଅନ୍ୟ କୌଣସି ଦେଶର କମ୍ପାନୀମାନେ ଉତ୍ତରକୋରିଆକୁ କୌଣସି ସାମଗ୍ରୀ ବିକି ପାରିବେ ନାହିଁ, ସେ ଦେଶରୁ କୌଣସି ସାମଗ୍ରୀ କିଣି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ରହିଛି।

ତେଣୁ ଏହି ଲିମୋଜିନ କାର କିମ ବ୍ୟବହାର କରିବା ସିଧାସଳଖ ବୁଝାଉଛି ଯେ, ତାଙ୍କ କ୍ଷେତ୍ରରେ ଆର୍ନ୍ତଜାତୀୟ ନିୟମ ଏବଂ ପ୍ରତିବନ୍ଧକୁ ଗୁରୁତ୍ୱ ଦିଆଯାଇନାହିଁ। ସବୁପ୍ରକାରର ଆକ୍ରମଣ, ବିଲ୍ଫୋରଣକୁ ସହ୍ୟ କରିପାରୁଥିବା ଏହି ଲିମୋଜିନ କାରକୁ ଜର୍ମାନୀର କମ୍ପାନୀ ଡାୟମଲର ପ୍ରସ୍ତୁତ କରିଛି। ତେବେ କିମଙ୍କ ନିକଟକୁ ଏହି କାର କିପରି ଆସିଲା ତାହାର ଉତ୍ତର କମ୍ପାନୀ ନିକଟରେ ନାହିଁ।

ଏହି ଘଟଣାକୁ ନେଇ ୟୁରୋପୀୟ ଦେଶମାନଙ୍କରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତରକୋରିଆ ସହ ଜର୍ମାନୀର କୌଣସି ବ୍ୟବସାୟୀକ ସମ୍ପର୍କ ନାହିଁ। ତେଣୁ ଜର୍ମାନୀର କମ୍ପାନୀ ଏହି କାର ତିଆରି କରୁଥିଲା ବେଳେ କିପରି କାରଟି କିମଙ୍କ ନିକଟକୁ ଗଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

କମ୍ପାନୀର ପ୍ରବକ୍ତା ଏନେଇ ସୂଚନା ଦେଇଛନ୍ତି ଯେ, ଉତ୍ତରକୋରିଆ ମୁଖିଆଙ୍କ ନିକଟକୁ ଏହି କାର କିପରି ଗଲା ତାହା ଆମ ସୂଚନାରେ ନାହିଁ। ଗତ ୧୫ ବର୍ଷ ଧରି ଆମେ ଉତ୍ତରକୋରିଆ ସହ କୌଣସି ବ୍ୟବସାୟୀକ ସମ୍ପର୍କ ରଖିନାହୁଁ। କମ୍ପାନୀ ଜାତିସଂଘ ଏବଂ ଆମେରିକାର ନିୟମକୁ କଡାକଡି ପାଳନ କରୁଛି। ଆମେ ମଧ୍ୟ ଏହି ନିୟମ କରିଛୁ ଯେ, ତୃତୀୟ ପାର୍ଟି ମାଧ୍ୟମରେ ମଧ୍ୟ ଅନ୍ୟ କେହି ଉତ୍ତରକୋରିଆକୁ ଲିମୋଜିନ କାର ବିକ୍ରି କରିପାରିବେ ନାହିଁ। ତେବେ ଏହି କାର ତାଙ୍କ ନିକଟକୁ କିପରି ଆସିଲା ତାହା ଆମେ ଜାଣିନାହୁଁ, ଏଥିପାଇଁ ଆମେ ଉତ୍ତରଦାୟୀ ମଧ୍ୟ ନୁହେଁ।

ପୂର୍ବରୁ ଅନେକ ଆନ୍ତର୍ଜାତୀୟ ବୈଠକ ଏବଂ ସମ୍ମିଳନୀରେ କିମ ଏହି ଷ୍ଟ୍ରେଚ ଲିମୋଜିନ କାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଗତ ଫେବୃଆରୀ ମାସରେ ହାନୋଇ ଠାରେ ଟ୍ରମ୍ପଙ୍କ ସହ ହୋଇଥିବା ବୈଠକରେ ସାମିଲ ହେବାକୁ କିମ ଏହି କାରରେ ଯାଇଥିଲେ। ପୁଟିନଙ୍କ ସହ ବୈଠକ ହେବା ସ୍ଥାନରେ କିମଙ୍କ ପକ୍ଷରୁ ସେଠାରେ ଦୁଇଟି ଲିମୋଜିନ କାର, ଗୋଟିଏ ମେବାକ ୬୦୦ ପୁଲମ୍ୟାନ ଗାର୍ଡ ଏବଂ ଗୋଟିଏ ମର୍ସିଡିଜ ମେବାକ ଏସ-୬୨ ଠିଆ ଥିବା ଦେଖିବାକୁ ମିଳିଥିଲା।

ତେବେ ପ୍ରତିବନ୍ଧକ କାରଣରୁ କିପରି ଏହି ବିଶେଷ ସୁରକ୍ଷାଯୁକ୍ତ କାର କିମ ବ୍ୟବହାର କରୁଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିବାକୁ ୟୁରୋପୀୟ ଦେଶମାନଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହେଲାଣି।

Leave a Reply

Your email address will not be published. Required fields are marked *