କିଟ୍‌କୁ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରଶାସନିକ ପୁରସ୍କାର

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା କିଟ୍‌ ବିଶ୍ବବିଦ୍ୟାଳୟ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରଶାସନିକ (ଆଇଏଫପିଇଏଫଏସ୍‌ଏସ୍‌ଏ) ସମ୍ମାନଜନକ ପୁରସ୍କାର ହାସଲ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପରିଚାଳନା ସହିତ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରି ଆସୁଥିବାରୁ କିଟ୍‌କୁ ଏହି ପୁରସ୍କାର ମିଳିଛି। କିଟ୍‌ ଜୁନିୟର ବିଶ୍ବ ଚେସ୍‌ ଚମ୍ପିଆନସିପ୍‌, ଏସିଆନ ସିଟି ଚେସ୍ ଚମ୍ପିଆନସିପ୍‌,କିଟ୍‌ ଅନ୍ତର୍ଜାତୀୟ ଜିଏମ୍‌ ଚେସ୍ ଚମ୍ପିଆନସିପ୍‌, ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା-୨୦୨୦, ସର୍ବଭାରତୀୟ ବନ କ୍ରୀଡ଼ା ଆଦି ସଫଳତାର ସହିତ ଆୟୋଜନ କରିବାରେ ସକ୍ଷମ ହୋଇଛି।

ଏହାଛଡ଼ା ଅନ୍ତର୍ଜାତୀୟ କ୍ରୀଡ଼ାବିତ ଧାବିକା ଦୂତି ଚାନ୍ଦ, ଅମିୟ ମଲ୍ଲିକ, ପୂର୍ଣ୍ଣିମା ହେମ୍ବ୍ରମ, ଜଉନା ମୁର୍ମୁ, ଶ୍ରୀୟଙ୍କା ଷଡଙ୍ଗୀ, ଋତୁପର୍ଣ୍ଣା ପଣ୍ଡା, ରଣଜିତ ନାୟକ, ସୁମିତ୍ରା ନାୟକ, ମନ୍ଦାକିନୀ ମାଝି ପ୍ରମୁଖଙ୍କୁ କିଟ୍‌ ଓ କିସ୍‌ ପ୍ରୋତ୍ସାହିତ କରିଆସୁଛି। କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଲାଗି ଅନ୍ତର୍ଜାତୀୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ୫୦୦୦ କ୍ରୀଡ଼ାବିତ୍‌, ୨୫୦ରୁ ଉର୍ଦ୍ଧ୍ବ କ୍ରୀଡ଼ା ପ୍ରଶିକ୍ଷକ ୩୩ଟି କ୍ରୀଡ଼ା ଶୃଙ୍ଖଳାରେ ନିୟୋଜିତ ରହିଛନ୍ତି। ହାଇଦରାବାଦର ଓସମାନିଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ଉତ୍ସବରେ କିଟ୍‌ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଅନ୍ତର୍ଜାତୀୟସ୍ତରର ଏହି ପୁରସ୍କାର ପାଇଁ ବିଶ୍ବବିଦ୍ୟାଳୟର ପ୍ରଶିକ୍ଷକ, କ୍ରୀଡ଼ାବିତ୍‌ ଓ ସମସ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ କ୍ରୀଡ଼ାକୁ ଅଧିକ ଆଗକୁ ନେବା ନେଇ ଉତ୍ସାହିତ କରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *