କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ବିଜେଡି ଓ କଂଗ୍ରେସର ଅଙ୍କ ଛିଡ଼ୁନି
କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ଟିକେଟରେ ବୈଜୟନ୍ତ ପଣ୍ଡା ସାଂସଦ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସ୍ପଷ୍ଟ ହେବାପରେ ତାଙ୍କ ବିପକ୍ଷରେ ବିଜେଡି ଓ କଂଗ୍ରେସରୁ କିଏ ପ୍ରତିଦ୍ୱନ୍ଦିତା କରିବେ ସେନେଇ ଅଙ୍କ ଛିଡ଼ୁନି ।
ରାଜ୍ୟସଭା ସାଂସଦ ପ୍ରତାପ ଦେବ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତଙ୍କ ସହ ଲଢିବାକୁ ବିଜେଡି ପକ୍ଷରୁ ଚର୍ଚା କରାଯାଉଥିଲେ ବି ସେ ଦଳୀୟ ଟିକେଟରେ ନିଜର ସ୍ଥାୟୀ ଜାଗା ଆଳି ବିଧାନସସଭା କ୍ଷେତ୍ରରେ ବିଧାୟକ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଛନ୍ତି । ଏଣୁ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ବିଜେଡିରୁ କିଏ ପ୍ରତିଦ୍ୱନ୍ଦିତା କରିବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ କେନ୍ଦ୍ରାପଡ଼ା ଭଳି ମର୍ଯ୍ୟାଦାଜନକ ଲୋକସଭା ଆସନରେ ବୈଜୟନ୍ତଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ସେପରି ଜଣେ ଦକ୍ଷ ନେତାଙ୍କର ଆବଶ୍ୟକତା ରହିଥିବା ବେଳେ ବୈଜୟନ୍ତଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରତାପ ଦେବଙ୍କ ଛଡ଼ା ଅନ୍ୟକେହି ନେତା କେନ୍ଦ୍ରାପଡ଼ା ଜିଲ୍ଲାରେ ନଥିବା କୁହାଯାଉଛି । ସେପଟେ ଶିଳ୍ପପତି ତଥା ରାଉରକେଲା ବିଧାୟକ ଥିବା ଦିଲ୍ଲୀପ ରାୟଙ୍କୁ ଦଳ ବିଜେଡି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରାଇବ ବୋଲି ବି ଚର୍ଚା ହେଉଛି । ଏନେଇ ଦିଲ୍ଲୀପ ପ୍ରଥମେ ରାଜି ହୋଇ ନଥଇଲେ ମଧ୍ୟ ପରବର୍ତ୍ତୀ ସମୟରେ ରାଜି ହୋଇଥିବା ନେଇ ବି ଆଲୋଚନା ହେଲାଣି ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦିତା କରିବେ ବୋଲି କିଛି ଗୋଷ୍ଠୀ ଚର୍ଚା କରୁଛନ୍ତି, ହେଲେ ଏହାର ସତ୍ୟତା ପଦାକୁ ଆସିନାହିଁ ।
ସେହିପରି ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି । ଯେହେତୁ ବିଧାୟକ ଭାବେ ପ୍ରତାପଙ୍କ ସ୍ଥିତି ଭଲ ନାହିଁ ତାଙ୍କୁ ଦଳ ଏହି ବିକଳ୍ପ ଦେବାକୁ ଚିନ୍ତା କରୁଛି । ହେଲେ ବିଜେଡିରୁ କିଏ ପ୍ରତିଦ୍ୱନ୍ଦିତା କରିବେ ସେ ନେଇ ସ୍ପଷ୍ଟ ହେଉ ନଥିôବାରୁ ବିଜେଡି କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଜାରି ରହିଛି । କଂଗ୍ରେସରେ ବି ସମାନ ସ୍ଥିତି । କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ କଂଗ୍ରେସରୁ କିଏ ପ୍ରତିଦ୍ୱନ୍ଦିତା କରିବେ ସେ ନେଇ ମଧ୍ୟ କଂଗ୍ରେସ ଦଳରେ କିଛି ସ୍ଥିର ହୋଇପାରୁ ନାହିଁ । ତେବେ ଆଇନଜୀବୀ ଧରଣୀଧର ନାୟକଙ୍କୁ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ପ୍ରାର୍ଥୀ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଗତ ୨୦୧୪ ମସିହା ସାଧାରଣ ନିର୍ବାଚରେ ଧରଣୀ ନାୟକ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରି ବୈଜୟନ୍ତ ପଣ୍ଡାଙ୍କ ଠାରୁ ପରାଜିତ ହୋଇଥିଲେ ।