କଂଗ୍ରେସରେ ମିଶିବେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ !
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କଂଗ୍ରେସରେ ସାମିଲ ହୋଇପାରନ୍ତି କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ । ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଓ ଗୁଜୁରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଓ୍ୱାନୀ କଂଗ୍ରେସରେ ସାମିଲ ହେବାର ସୂଚନା ମିଳିଛି । ଏହି ମାସ ଶେଷ ସୁଦ୍ଧା କଂଗ୍ରେସରେ ସାମିଲ ହୋଇପାରନ୍ତି ଉଭୟେ ।
ଖବର ଅନୁଯାୟୀ, ଯଦି ପଞ୍ଜାବ କଂଗ୍ରେସ ଚାଲୁଥିବା ବିବାଦ ଆଗାମୀ କିଛି ଦିନ ମଧ୍ୟରେ ଥମିଯାଏ, ତେବେ ଆସନ୍ତା ୨୮ ତାରିଖରେ ଶହୀଦ ଭଗତ ସିହଂଙ୍କ ଜୟନ୍ତୀ ଦିନ କହ୍ନେୟା ଓ ଜିଗ୍ନେଶ କଂଗ୍ରେସର ହାତ ଧରିପାରିବେ । ସେହିପରି ଗୁଜୁରାଟ ପ୍ରଦେଶର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଏହି ୨ ନେତାଙ୍କୁ ଦଳରେ ମିଶାଇବା ପାଇଁ ପ୍ରୟାସ କରୁଛନ୍ତି । ପାର୍ଟି ଓ ୨ ଯୁବନେତାଙ୍କ ମଧ୍ୟରେ ହାର୍ଦ୍ଦିକ ପଟେଲ ମଧ୍ୟସ୍ଥତା କରୁଛନ୍ତି । କିନ୍ତୁ ଏବେ ସବୁ ଫୋକସ ପଞ୍ଜାବ ରେ ଲାଗି ରହିଥିବା କଂଗ୍ରେସ କନ୍ଦଳ ଉପରେ ରହିଛି । ଯଦି ମାମଲା ଶୀଘ୍ର ସମାଧାନ ହୋଇଯିବ, ତେବେ ଯାଇ ଆସନ୍ତା ୨୮ ତାରିଖ ଦିନ ଏହି ଯୁବନେତା ଦଳ ସାମିଲ ହୋଇପାରନ୍ତି ।
ସୂଚନାଯୋଗ୍ୟ ଯେ, ବିହାରର ବାସିନ୍ଦା କହ୍ନେୟା କୁମାର ଜେନେୟୁରେ କଥିତ ଭାବେ ଦେଶବିରୋଧୀ ନାରାବାଜି ମାମଲାରେ ଗିରଫ ହୋଇଥିଲେ । ଏହାପରେ ସେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ଗତ ଲୋକସଭା ନିର୍ବାଚନରେ ବିହାର ବେଗୁସରାୟ ଲୋକସଭା ଆସନରେ କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କ ବିରୋଧରେ ଲଢିଥିଲେ । କିନ୍ତୁ କହ୍ନେୟା କୁମାର ହାରିଯାଇଥିଲେ । ଅନ୍ୟପଟେ ଦଳିତ ସମୁଦାୟରୁ ଆସୁଥିବା ଜିଗ୍ନେଶ୍ ଗୁଜୁରାଟର ବଡ଼ଗାମ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ୱାଧୀନ ଭାବେ ସେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।