କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବହୁ କଳ୍ପନା ଜଳ୍ପନା ପରେ କଂଗ୍ରେସର ହାତ ଧରିଲେ ଜେଏନୟୁର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟରୁ ବିଧାୟକ ଜିଗ୍ନେଶ ମେଓ୍ଵାଣୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା ଓ ଜିଗ୍ନେଶ ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହିତ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ ସହିଦ ଏ ଆଜମ ଭଗତ ସିଂହ ପାର୍କରେ ଉପସ୍ଥିତ ଥିଲେ।

ଉଭୟଙ୍କ କଂଗ୍ରେସରେ ସାମିଲ୍ ନେଇ ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଆମେ ଏହି ଦୁଇ ଯୁବ ନେତାଙ୍କ ସହ କାମ କରିବା ନେଇ ଆଶାନ୍ଵିତ ଅଛୁ। ଯଦ୍ଵାରା ଦେଶରେ ଶାସନ କରୁଥିବା ଫାଶୀବାଦୀ ଶକ୍ତିକୁ ହରାଇ ପାରିବୁ।

କହ୍ନେୟା କୁମାରଙ୍କ ଦୀର୍ଘ ସମୟ ଧରି କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା। ଶେଷରେ ସେ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀଙ୍କ ସ୍ଵାଗତ ପାଇଁ ଦିଲ୍ଲୀରେ କଂଗ୍ରେସ ପାର୍ଟି କାର୍ଯ୍ୟାଳୟ ବାହାରେ ମଧ୍ୟ ପୋଷ୍ଟର ଲାଗିଛି। ଏଥିରେ ରାହୁଲ ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି। ସୂଚନାଯୋଗ୍ୟ, କହ୍ନେୟା କୁମାର ସିପିଆଇ ପକ୍ଷରୁ ଲୋକସଭା ନିର୍ବାଚନ ଲଢି ସାରିଛନ୍ତି ଏବଂ ପରାଜିତ ମଧ୍ୟ ହୋଇ ସାରିଛନ୍ତି। ଅନ୍ୟପଟେ ଜିଗ୍ନେଶ ମେଓ୍ଵାଣୀ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଅଛନ୍ତି।

Leave a Reply

Your email address will not be published. Required fields are marked *