କାଳିଆ ଧାମରେ ‘କାଳିଆ’ ଯୋଜନାର ଶୁଭାରମ୍ଭ :ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ମିଳିବ ସହାୟତା

ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୧୨ଲକ୍ଷ ୪୫ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ କାଳିଆ ସହାୟତା । ଆଜି ଠାରୁ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଏହି ଯୋଜନାରେ ଚୟନ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଗ୍ଧକାଳିଆଗ୍ଦ ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଲେଖାଏଁ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ଦୁଇ ଲକ୍ଷରୁ ଅଧିକ ଚାଷୀଙ୍କ ସମାଗମ ହୋଇଥିଲା । ଏତେ ସଂଖ୍ୟାରେ ଚାଷୀଙ୍କ ସମାଗମକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା ପାଇଁ ଏତେ ସଂଖ୍ୟାରେ ଚାଷୀଙ୍କ ଉତ୍ସାହ ଓ ଆଗ୍ରହକୁ ଦେଖି ମୁଖ୍ୟମନ୍ତ୍ରୀ ଆଜି ଯୋଜନାର ନାଁ କାଳିଆ କାହିଁକି ଦିଆଯାଇଛି, ସେ ରହସ୍ୟ ବି ଖୋଲିଦେଲେ । ଏହି ଯୋଜନା ଘୋଷଣା ହେବା ଦିନରୁ ବିରୋଧୀ ଯୋଜନାର ନାମ କାଳିଆ କାହିଁକି ବୋଲି ପ୍ରଶ୍ନ ଉଠାଉଥିଲେ ।

ଯୋଜନା ପ୍ରତି ଚାଷୀଙ୍କ ଆଗ୍ରହକୁ ଦେଇ ଭାବବିହ୍ବଳ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପରିକଳ୍ପନାର କାହାଣୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି । ସେମାନଙ୍କ ଲହୁ ଲୁହ ଏକାଠି ହୋଇ ଉତ୍ପାଦିତ ହେଉଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀ ଉତ୍ପାଦିତ କରୁଥିବା ପରିବା ମହାପ୍ରସାଦରେ ଲାଗୁଛି । ଏଭଳି ଏକ ମହାନ ଓ ପବିତ୍ର କାର୍ଯ୍ୟ କରୁଛନ୍ତି ରାଜ୍ୟର ଚାଷୀ । ଜଗତର ନାଥ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଚାଷୀଙ୍କ ମହାନ ଓ ପବିତ୍ର ଯୋଗାଦନ ପାଇଁ ଏହି ଯୋଜନାର ନାମ ଗ୍ଧକାଳିଆଗ୍ଦ ରଖିଛି ।

ଆଜି ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାଳିଆ ଯାତ୍ରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ । ଓଡିଶାର ଅର୍ଥନୀତିର ବିକାଶରେ ଏହା ଏକ ମାଇଲ ଖୁଣ୍ଟ ହୋଇପାରିବ । କାଳିଆ ଯୋଜନା ଦ୍ବାରା ଚାଷୀମାନଙ୍କର ଚାଷବାସ ଭଲ ହେବ । ଚାଷୀ ପରିବାରର ଉନ୍ନତି ହେବ ଏବଂ ଏହି ଯୋଜନା ସାରା ଦେଶକୁ ବାଟ ଦେଖାଇବ ବୋଲି କହିଥିଲେ ନବୀନ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଚାହୁଛନ୍ତି ରାଜ୍ୟର ଅନ୍ନଦାତାମାନେ ଭଲରେ ରୁହନ୍ତୁ । କେବଳ ଗୋଟିଏ ଥର ସାହାଯ୍ୟ କଲେ, ସମସ୍ୟା ଦୂର ହେବନି । ତେଣୁ ଏପରି ଯୋଜନା ହେବା ଦରକାର ଯେପରି ଆପଣମାନେ ସବୁ ଫସଲରେ ସବୁ ଋତୁରେ ସାହାଯ୍ୟ ପାଇପାରିବେ । ଏଥିପାଇଁ ଏ କାଳିଆ ଯୋଜନା । ଚାଷୀଙ୍କୁ ୩ ବର୍ଷରେ ୬ଟି ଋତୁରେ ଆର୍ଥିକ ସହାୟତା ମିଳିବ । ଖରିଫ ଋତୁରେ ଅକ୍ଷୟ ତୃତୀୟ ଓ ରବି ଋତୁରେ ନୂଆଖାଇରେ ଚାଷୀଙ୍କୁ ମିଳିବ ଏହି ସହାୟତା ।

ଚାଷୀଙ୍କ ଋଣ ଛାଡ ଯୋଜନାରେ ଓଡ଼ିଶା ସରକାର ସାମିଲ ନହୋଇ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହାଦ୍ବାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ଯୋଜନାର କାର୍ଯ୍ୟକାରିତାର ଉତ୍ତରଦାୟିତ୍ବ ଏବେ ସମବାୟ ବିଭାଗ ଉପରେ ନ୍ୟସ୍ତ ଥିବା ବେଳେ ସମବାୟ ସଚିବ କ୍ରିଷ୍ଣନ କୁମାର ପୂରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏପରିକି ଚାଷୀଙ୍କ ସବୁଜ ଫର୍ମ ଆବେଦନ ଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ ଏବଂ ସେମାନଙ୍କ ଡାଟାବେସ ପ୍ରସ୍ତୁତି ତାଙ୍କ ତତ୍ବାବଧାନରେ ହୋଇଥିଲା।

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ସହାୟତା

ଆଜିଠାରୁ କାଳିଆ ଯୋଜନାରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ହଜାର ୪୯୦ ଜଣ ଚାଷୀଙ୍କୁ ମିଳିଛି ୫୦୦୦ ଟଙ୍କା ଲେଖାଏଁ ସହାୟତା। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଛି। ପ୍ରଥମ ପର୍ଯ୍ୟାୟରେ କାଳିଆ ସହାୟତା ପାଇଥିବା ଚାଷୀଙ୍କୁ ସେମାନଙ୍କ ମୋବାଇଲ ନମ୍ବରରେ ଏସଏମଏସ କରି ଜଣେଇ ଦିଆଯାଇଛି। ଏବାବଦରେ ମୋଟ ୬୨୨ କୋଟି ୭୪ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *