ଘରୋଇ କମ୍ପାନି ସହାୟତାରେ ଅତ୍ୟାଧୁନିକ ଲଢୁଆ ବିମାନ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସର ସଫଳତା ପରେ ଭାରତ ଏବେ ୫ମ ପିଢିର ଅତ୍ୟାଧୁନିକ ଲଢୁଆ ବିମାନ (ଏଏମସିଏ ବା ଆଡଭାନ୍ସଡ ମଲଟିରୋଲ କମ୍ବାଟ ଏୟାରକ୍ରାଫ୍ଟ) ନିର୍ମାଣ କରିବାକୁ ଯୋଜନା କରୁଛି । ଏହି ଲଢୁଆ ବିମାନ ସରକାରୀ-ଘରୋଇ ସହଭାଗିତାରେ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ରାଫେଲ ବିମାନ ୪.୫ ପିଢିର ହୋଇଥିବାବେଳେ ଭାରତ ନିର୍ମାଣ କରିବାକୁ ଥିବା ବିମାନ ତା’ଠାରୁ ଆହୁରି ଉନ୍ନତ ହେବ ।

ଏକ ଜାତୀୟ ସ୍ତରର ଖବରକାଗଜକୁ ହାଲ୍ (ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ)ର ନିର୍ଦ୍ଦେଶକ ଆର.ମାଧବନ ଦେଇଥିବା ସୂଚନା ଅନୁସାରେ ଘରୋଇ କମ୍ପାନିମାନଙ୍କ ସହଭାଗିତାରେ ଏହି ଲଢୁଆବିମାନ ନିର୍ମାଣ କରାଯିବ । ଏଥିପାଇଁ ହାଲ୍, ଡିଆରଡିଓ ଓ ଏକ ଘରୋଇ କମ୍ପାନି ସହ ସହଭାଗିତା କରାଯିବ । ଏହି ପ୍ରକଳ୍ପ ପାଇଁ ହାଲ୍ ଭିତ୍ତିଭୂମି ଯୋଗାଇଦେବ, ଡିଆରଡିଓ କେତେକ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ କରିବ ଓ ଘରୋଇ କମ୍ପାନି ପୁଞ୍ଜିନିବେଶ କରିବ । କିନ୍ତୁ ହାଲ୍ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯାଉଥିବାରୁ ଘରୋଇ କମ୍ପାନିର ଏ ବାବଦ ବ୍ୟୟ ହ୍ରାସ ପାଇବ । ହାଲ୍ ର ବାଙ୍ଗାଲୁରୁ ସେଣ୍ଟରରେ ଏହାର ପ୍ରୋଟୋଟାଇପ ଓ ଡିଜାଇନ ପ୍ରସ୍ତୁତ କରାଯିବ ଓ ନାସିକଠାରେ ଥିବା ହାଲ କାରଖାନାରେ ଏହାର ନିର୍ମାଣ କରାଯିବ ।

Leave a Reply

Your email address will not be published. Required fields are marked *