ସ୍ବଦେଶ ଫେରିଲେ ଅଲିମ୍ପିକ ପଦକ ବିଜେତା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଉଛି । ବିମାନବନ୍ଦର ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ ଜମିଛି । ରେସଲର ବଜରଙ୍ଗ ପୁନିଆଙ୍କ ପରିବାର ଏବଂ ତାଙ୍କର ସାଥି ଶୁଭେଚ୍ଛୁମାନେ ଦିଲ୍ଲୀ ଏୟାରପୋର୍ଟ ବାହାରେ ଭବ୍ୟ ସ୍ବାଗତ କରିଛନ୍ତି । ବିମାନବନ୍ଦରରେ ଆଥ୍ଲେଟମାନଙ୍କୁ ସ୍ବାଗତ କରିବା ପାଇଁ ପ୍ରବଳ ଭିଡ ଜମିଛି ।
ଏହା ସହିତ ଟୋକିଓ ଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କୁ ଦେଖିବାକୁ ଏୟାରପୋର୍ଟ ବାହାରେ ପ୍ରବଳ ଜନସମାଗମ ହୋଇଛି । ଆଜି ସମସ୍ତ ଆଥଲେଟ୍ ଜାପାନର ଟୋକିଓରୁ ସ୍ବଦେଶ ଫେରୁଛନ୍ତି । ହରିୟାଣାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ରୌପ୍ୟ ପଦକ ଜିତିଥିବା ରବି ଦାହିୟାଙ୍କ ଘରେ ଉତ୍ସବର ମାହୋଲ । ବାଜା ଏବଂ ଢୋଲରେ ପ୍ରକମ୍ପିତ ହେଉଛି ରବି ଦାୟିହାଙ୍କ ପୌତ୍ରିକ ଗାଁ ।
ସେପଟେ ଦେଶକୁ ପ୍ରଥମ ଗୋଲ୍ଡ ଦେଇଥିବା ନୀରଜ ଚୋପ୍ରାଙ୍କ ଘରେ ସମସ୍ତେ ଉତ୍ସାହିତ ଅଛନ୍ତି । ନୀରଜଙ୍କ ପୁରା ଗାଁ ଏବେ ଉତ୍ସବମୁଖର ହୋଇପଡିଛି । କେବଳ ତାଙ୍କ ଗାଁ ନୁହେଁ ପାନିପତ୍ର ପ୍ରାୟ ସମସ୍ତ ସ୍ଥାନରେ ଉତ୍ସବ ପାଳନ କରାଯାଉଛି । ଦିଲ୍ଲୀ ଏୟାରପୋର୍ଟରେ ସେମାନଙ୍କ ସ୍ବାଗତ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକ ଉପସ୍ଥିତ ଅଛନ୍ତି ।