#କୋଭିଡ୍-୧୯: ଭାରତୀୟ ବୈଜ୍ଞାନିକଙ୍କ କମାଲ

ନୂଆଦିଲ୍ଲୀ (ଓଟି): କୋଭିଡ୍‌-୧୯ ସହ ଲଢ଼େଇ କ୍ଷେତ୍ରରେ ପୁଣି ଭାରତୀୟ ବୈଜ୍ଞାନିକଙ୍କୁ ମିଳିଛି ଏକ ସଫଳତା। କରୋନା ଭାଇରସ୍ ସଂକ୍ରମଣ ତୁରନ୍ତ ପରୀକ୍ଷଣ ପାଇଁ ଗବେଷକମାନେ ନୂତନ କିଟ୍ ପ୍ରସ୍ତୁତ କରିଛନ୍ତି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ସହ ଜଡ଼ିତ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଏମ୍ବେଡେଡ୍ ବାୟୋଲୋଜି (IGIB)ର ବୈଜ୍ଞାନିକମାନେ ଏକ ପେପର୍ ଷ୍ଟ୍ରିପ୍ ପରୀକ୍ଷା କିଟ୍ ପ୍ରସ୍ତୁତ କରିଛନ୍ତି। ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ ସଂକ୍ରମଣ ଚିହ୍ନଟ କରିପାରିବାର କ୍ଷମତା ରଖିଛି।

ସୂଚନା ଅନୁଯାୟୀ, IGIB ବୈଜ୍ଞାନିକ ଡକ୍ଟର ସୌଭିକ ମୈତି ଏବଂ ଡକ୍ଟର ଦେବଜ୍ୟୋତି ଚକ୍ରବର୍ତ୍ତୀଙ୍କ ନେତୃତ୍ଵରେ ସ୍ଵତନ୍ତ୍ର ଟିମ୍‌ ଉକ୍ତ କିଟ୍ ପ୍ରସ୍ତୁତ କରିଥିବାବେଳେ ତାହା ଘଣ୍ଟାକରୁ କମ୍ ସମୟ ମଧ୍ୟରେ କରୋନା ଭାଇରସ୍ (SARS-COV-2)ର ଭାଇରାଲ୍ RNAକୁ ଚିହ୍ନଟ କରିପାରିବ। ଗୁରୁତ୍ଵପୂର୍ଣ୍ଣ ଯେ ବର୍ତ୍ତମାନର ପରୀକ୍ଷଣ ପଦ୍ଧତି ଅପେକ୍ଷା ପେପର୍ ଷ୍ଟ୍ରିପ୍ କିଟ୍ ବହୁତ ଶସ୍ତା ରହିଛି।   ଏହି କିଟ୍‌ର ବ୍ୟାପକ ଭାବରେ ବ୍ୟବହୃତ ହେଲେ କରୋନା ପରୀକ୍ଷଣରେ ଖୁବ୍‌ ସାହାଯ୍ୟ କରିବ। ଡକ୍ଟର ଦେବଜ୍ୟୋତି କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଠାରେ କରୋନାର ଜିନୋମିକ୍ ଅନୁକ୍ରମର ଚିହ୍ନଟ ପାଇଁ ପେପର୍ କିଟ୍‌ରେ ଜିନ୍-ଏଡିଟିଂର ଅତ୍ୟାଧୁନିକ କୌଶଳ କ୍ରିସ୍ପର-କ୍ୟାସ୍-୯ ବ୍ୟବହୃତ ହୋଇଛି। ଏହା ଦ୍ଵାରା ପରୀକ୍ଷଣ ପାଇଁ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ ହେବ।

ବୈଜ୍ଞାନିକମାନେ ଏହି ଉପକରଣ ସମ୍ପର୍କିତ ଦୁଇ ବର୍ଷ ଧରି କାମ କରିଆସୁଥିବାବେଳେ ଜାନୁଆରୀ ମାସ ଶେଷରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପରୀକ୍ଷଣ ପାଇଁ ଏହାର ବ୍ୟବହାର କରାଯାଇଥିଲା।

Leave a Reply

Your email address will not be published. Required fields are marked *