କରୋନା ଆତଙ୍କ: ଭାରତରେ ୨୯ ଆକ୍ରାନ୍ତ

ନୂଆଦିଲ୍ଲୀ,ଭୁବନେଶ୍ୱର (ଓଟି): ଭାରତରେ ୨୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଛୁଇଁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲି ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ଇଟାଲୀୟ ନାଗରିକମାନେ ଗତ ମାସରେ ଭାରତକୁ ବୁଲିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ରାଜସ୍ଥାନ ଜୟପୁରରେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିପରି ତାଙ୍କ ଗ୍ରୁପ୍‌ରେ ଥିବା ଅନ୍ୟ ୧୫ ଜଣଙ୍କ ନମୁନାରେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ତେବେ ସମସ୍ତଙ୍କୁ ଆଇଟିବିପି କ୍ୟାମ୍ପ୍‌କୁ ପଠାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ-ନୋଏଡାରେ କରୋନା ସନ୍ଦେହରେ ୬ଜଣଙ୍କ ନମୁନା ପରୀକ୍ଷା ହୋଇଥିବାବେଳେ ରିପୋର୍ଟ ନେଗେଟିଭ ଥିବା ଜଣାପଡ଼ିଛି। ତେବେ ସ୍ୱାସ୍ଥ୍ୟ ପରୀକ୍ଷା କଡ଼ାକଡ଼ି ଭାବେ କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଓଡ଼ିଶାରେ ଆଡଭାଇଜରି ଜାରି

ଗତ ମଙ୍ଗଳବାର ଓଡ଼ିଶାରେ ଦୁଇ କରୋନା ସନ୍ଦିଗ୍ଧ ଚିହ୍ନଟ ହେବାପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏନେଇ  ଆଡ୍‌ଭାଇଜରି ଜାରି କରାଯାଇଥିବାବେଳେ ସ୍ୱଚ୍ଛତା ସହ ସାବଧାନ ରହିବା ପାଇଁ କୁହାଯାଇଛି। ବାରମ୍ବାର ହାତକୁ ଧୋଇ ସଫା ରଖିବାକୁ ପରାମର୍ଶ ଦିଆଯାଇଛି। ଟେବୁଲ, ଡେସ୍କ, ଟେଲିଫୋନ୍ ଓ କିବୋର୍ଡକୁ ସମ୍ପୂର୍ଣ୍ଣ ସଫା ରଖିବାକୁ କୁହାଯାଇଥିବାବେଳେ ୱାଶିଂ ମେସିନ୍ ନିକଟରେ ସାବୁନ, ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି କାର୍ଯ୍ୟକ୍ଷେତ୍ରରେ ଟିସୁ ପେପର, ମାସ୍କ ଓ ବନ୍ଦ ଥିବା ଡଷ୍ଟବିନ୍ ବ୍ୟବହାର ପ୍ରତି ଗୁରୁତ୍ୱାରୋପ କରାଯାଇଛି। କାହା ସହ ହାତ ମିଳାନ୍ତୁ ନାହିଁ ଏବଂ ନିହାତି ଜରୁରି ନଥିଲେ ଜନଗହଳିପୂର୍ଣ୍ଣ ସ୍ଥାନ ମଲ, ମାର୍କେଟ୍‌, ଷ୍ଟେସନ, ବସଷ୍ଟାଣ୍ଡ ଆଦି ସ୍ଥାନକୁ ଯିବା ପାଇଁ ବାରଣ କରାଯାଇଛି । ଅନୁରୂପ ଭାବେ ଥଣ୍ଡା, କାଶ, ଜ୍ୱର ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ସେଭଳି କିଛି ଲକ୍ଷଣ ଦେଖାଗଲେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଛି।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମୀକ୍ଷା ବୈଠକ ହୋଇଛି। ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାରେ କରୋନା ପରୀକ୍ଷାର ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି କୁହାଯାଇଛି। ସମ୍ପ୍ରତି ରାଜ୍ୟରେ ୧୧୫ ଜଣ କରୋନା ସନ୍ଦେହରେ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଥିବା ଜଣାପଡ଼ିଛି। କରୋନା ସମ୍ପର୍କରେ ତଦାରଖ ପାଇଁ ଡିଏମ୍‌ଇଟିଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ବିମାନ ବନ୍ଦର ଓ ହସ୍ପିଟାଲଗୁଡିକୁ ଆଲର୍ଟ କରାଯାଇଛି। ଏଥିସହ ରାଜ୍ୟର ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସଚିବ ଶ୍ରୀ ଧଳ କହିଛନ୍ତି।

Leave a Reply

Your email address will not be published. Required fields are marked *