ଚୀନ୍‌କୁ ଫେରାଇ ଦିଆଯିବ କିଟ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ବିପତ୍ତି ବେଳେ ଚୀନ୍‌ ଦେଇଛି ଧୋକା। ସହଯୋଗ ଆଳରେ ସବୁ ଦେଇଛି ଖରାପ କିଟ୍‌। ଫଳରେ ଏସବୁ କୋଉ କାମକୁ ନୁହଁ ବୋଲି ଜଣାପଡ଼ିଛି। ଏପରିକି ଦେଶର ଅନେକ ରାଜ୍ୟରେ ରାପିଡ୍ ଟେଷ୍ଟ କିଟ୍ ଖରାପ ଥିବା  ଘଟଣା ସାମ୍ନାକୁ ଆସିବା ସହ ସମ୍ପୃକ୍ତ କିଟ୍ ଭୁଲ୍ ରିପୋର୍ଟ ଦେଉଥିବା ଜଣାପଡ଼ିଛି। ଏଥିପାଇଁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ଅଧିକ ହନ୍ତସନ୍ତ ହେବାକୁ ପଡୁଛି। ଏଥିପାଇଁ କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚୀନ୍‌ଠୁ ଅଣାଯାଇଥିବା ସମସ୍ତ କିଟ୍‌ ଫେରାଇ ଦିଆଯିବ ବୋଲି କୁହାଯାଇଛି। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏନେଇ ସବିଶେଷ ସୂଚନା ଦେଇଛନ୍ତି।

ସ୍ଵାସ୍ଥ୍ୟମନ୍ତ୍ରୀ ଡ. ବର୍ଦ୍ଧନ କହିଛନ୍ତି ଯେ ଯେଉଁଠୁ କିଣା ଯାଇଥିଲା କିଟ୍‌ ସେହି ଦେଶକୁ ପଠାଇ ଦିଆଯିବ। କରୋନାକୁ ମୁକାବିଲା ପାଇଁ   ଭାରତ ଚୀନଠୁ ରାପିଡ୍ ଟେଷ୍ଟ କିଟ୍ ମଗାଇଥିଲା, ତେବେ ଏହାର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା। ସ୍ଥିତି ଏମିତି ଉପୁଜିଲା ଯେ, ରାଜସ୍ଥାନ ନିଜ ରାଜ୍ୟରେ ରାପିଡ୍‌ ଟେଷ୍ଟ କିଟ୍ ଯାଞ୍ଚ ଉପରେ ରୋକ୍ ଲଗାଇଥିଲା। ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ICMR) ମଧ୍ୟ ସମସ୍ତ ରାଜ୍ୟକୁ ଉକ୍ତ କିଟ୍‌ରେ ଯାଞ୍ଚ ନକରିବାକୁ ଆଦେଶ ଦେଲେ। ଏହା ପୂର୍ବରୁ ୟୁରୋପର ଅନେକ ଦେଶ ୨୦ ଲକ୍ଷ କିଟ୍‌ ଚୀନକୁ ପଠାଇ ଦେଇଥିଲା। ଖାଲି ସେତିକି ନୁହେଁ, ଚୀନ ଗୋଟିଏ ମାସ ବିଳମ୍ବ ପରେ କିଟ୍ ଭାରତକୁ ପଠାଇଥିଲା ଏବଂ ତାହା ପୁଣି ଧୋକା ଦେଇଛି। ତେଣୁ କେନ୍ଦ୍ର ସରକାର ଏହି ସବୁ କିଟ୍‌ ଚୀନକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏଠାରେ ପ୍ରକାଶ ଥାଉକି କେବଳ ଭାରତ ନୁହେଁ; ଅନ୍ୟାନ୍ୟା ଦେଶରୁ ମଧ୍ୟ ଚୀନର ଟେଷ୍ଟ କିଟ୍‌ ଖରାପ ଥିବା ଅଭିଯୋଗ ହୋଇଛି। ଏପରିକି ମହିଳାଙ୍କ ଅନ୍ତ ବସ୍ତ୍ରରେ ନିର୍ମିତ ମାସ୍କ ପାକିସ୍ତାନକୁ ପଠାଇ ଦେଇଥିଲା ଚୀନ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *