ତାଲିବାନକୁ ଝଟ୍‌କା, ଆର୍ଥିକ ସହାୟତା ବନ୍ଦ କଲା ଆଇଏମ୍‌ଏଫ୍‌

କାବୁଲ, (ଓଡିଶା ଟାଇମ୍): ଅସ୍ତ୍ର ବଳରେ ତାଲିବାନ ଆତଙ୍କି ଗୋଷ୍ଠୀ କ୍ଷମତା ଦଖଲ କରିବା ପରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଛି। ଏଥିସହିତ ଆଇଏମଏଫରେ ଗଚ୍ଛିତ ଥିବା ଦେଶର ମୁଦ୍ରା ତାଲିବାନ ଦ୍ୱାରା ବ୍ୟବହାର ପାଇଁ ବନ୍ଦ କରିଦିଆଯାଇଛି। ଏହାଫଳରେ ଆଇଏମଏଫରେ ରହିଥିବା ବୈଦେଶିକ ବିନିମୟ ମୁଦ୍ରା ଓ ସୁନାକୁ ତାଲିବାନ ବ୍ୟବହାର କରିବା ସୁଯୋଗ ପାଇବ ନାହିଁ। ୱାଶିଂଟନସ୍ଥିତ ଆଇଏମଏଫର ମୁଖପାତ୍ର ବୁଧବାର ଏହା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଆଫଗାନକୁ ଏବେ ଆନ୍ତର୍ଜାତିକ ସମୁଦାୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଥିବାରୁ ଏହା ଆଇଏମଏଫର ସୁଯୋଗ ନେଇପାରିବ ନାହିଁ। ଦା ଆଫଗାନ ବ୍ୟାଙ୍କର ଗଭର୍ଣ୍ଣର ଅଜମଲ ଅହମଦି କହିଛନ୍ତି ଯେ ଏହି କେନ୍ଦ୍ରୀୟ ବ୍ୟାଙ୍କରେ ପ୍ରାୟ ୯ ବିଲିଅନ ଡଲାର ଗଚ୍ଛିତ ରହିଛି, କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ବିଦେଶରେ ରହିଛି, ଯାହା ତାଲିବାନ ପହଞ୍ଚ ବାହାରେ।

ଆନ୍ତର୍ଜାତିକ ବ୍ୟବସ୍ଥା ଅନୁଯାୟୀ ବିଦେଶରେ ଥିବା ସଂପତ୍ତି ନିରାପଦ ରହିଛି ଏବଂ ସେଥିମଧ୍ୟରେ ନଗଦ ଅର୍ଥ ସହିତ ସୁନା ଆଦି ରହିଛି। ଇତିମଧ୍ୟରେ ଅଜମଲ ତାଲିବାନ ଭୟରେ ରବିବାର ଦେଶ ଛାଡି ପଳାଇ ଯାଇଛନ୍ତି। ଆମେରିକା ଫେଡେରାଲ ରିଜର୍ଭରେ ଆଫଗାନିସ୍ତାନର ପ୍ରାୟ ୭ ବିଲିଅନ ଡଲାର ଗଚ୍ଛିତ ରହିଛି, ସେଥିମଧ୍ୟରେ ୧.୨ ବିଲିଅନ ଡଲାର ମୂଲ୍ୟର ସୁନା ଥିବା ଜଣାଯାଇଛି। ଏହାର ସୁଯୋଗ ମଧ୍ୟ ତାଲିବାନ ନେଇପାରିବେ ନାହିଁ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *