ଏତେ ପଦପଦବୀ କେଉଁଠୁ ଆଣିଲେ ନବୀନ!
- ଜାତୀୟ ଦଳର ସଭାନେତ୍ରୀରୁ ଏକ ଆଞ୍ଚଳିକ ଦଳର ସାଧାରଣ ସମ୍ପାଦକ ସୁମିତ୍ରା
- ଅସନ୍ତୁଷ୍ଟଙ୍କୁ ନବୀନଙ୍କ ପଦବୀ ଥୋପ କାମ ଦେବ ତ ?
- ଦଳର ଛାଗୁଆ ସଂଗଠନର କୌଣସି ନେତାଙ୍କୁ ଟିକଟ ମିଳିନି
- ନିଯୁକ୍ତ ପାଇଥିବା ନେତାମାନେ ପଦପଦବୀକୁ ବଜାଇ ରଖିପାରିବେ କି?
- ହୁସେନ ରବି ଗାନ୍ଧୀଙ୍କ ସ୍ୱାଭିମାନ କେତେ ସୁରକ୍ଷିତ?
ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୁ ଜନତାଦଳର ସଭାପତି ନବୀନ ପଟ୍ଟନାୟକଙ୍କର ଭିତିରିଆ ବୁଝାମଣା ଥିବା ଅଭିଯୋଗ କରି ଦଳ ଛାଡିଲେ। କିନ୍ତୁ ଯୋଗ ଦେଲେ ସେଇ ବିଜୁ ଜନତା ଦଳରେ। ଆଉ ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦେଲେ। ଏହା ସହିତ ତାଙ୍କୁ ମିଳିଲା ବାଲେଶ୍ୱର ଏବଂ ଭଦ୍ରକ ଜିଲାର ସହପର୍ଯ୍ୟବେକ୍ଷକ ଦାୟିତ୍ୱ।
ଗୋଟିଏ ଜାତୀୟ ଦଳର ମହିଳା ସଂଗଠନର ସଭାନେତ୍ରୀ ଏକ ଆଞ୍ଚଳିକ ଦଳର ସାଧାରଣ ସମ୍ପାଦକ ପଦ ପାଇଁ ସନ୍ତୁଷ୍ଟ ହୋଇଗଲେ। ଏହା କେବଳ ସୁମିତ୍ରାଙ୍କ ପଦବୀ କଥା ନୁହେଁ। ଗତ ୧୦ଦିନ ଭିତରେ ନବୀନ ପଟ୍ଟନାୟକ ଯେତେ ଜଣ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସାଧାରଣ ସମ୍ପାଦକ, ସମ୍ପାଦକ କିମ୍ୱା ପର୍ଯ୍ୟବେକ୍ଷକ ପଦରେ ନିଯୁକ୍ତି ଦେଲେଣି, ସେଗୁଡିକୁ ଗଣିବା କାଠିକର ପାଠ।
ବିଜେଡିର ସମ୍ୱିଧାନରେ କେତେଜଣ ଉପସଭାପତି ରହିବେ, ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କ ସଂଖ୍ୟା କେତେ ହେବ, ସେ ସମ୍ପର୍କରେ କିଛି ଉଲ୍ଲେଖ ଅଛି କି ନାହିଁ, ଏବେ କହିବା ମୁସ୍କିଲ। କାରଣ ଦଳର ସମ୍ୱିଧାନ ଅଛି ବୋଲି ଅନେକ ନେତା ଜାଣନ୍ତି ନାହିଁ। କେବଳ ଏତିକି ଜାଣିଛନ୍ତି ଯେ, ନବୀନ ସଭାପତି।
ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ଲାଗି ନବୀନଙ୍କ ହାତେ ତିନିଟି ବିକଳ୍ପ ଅଛି। କେତେଜଣ ବରିଷ୍ଠ ନେତାଙ୍କୁ ସେ ରାଜ୍ୟସଭା ଲୋଭ ଦେଖାଇସାରିଛନ୍ତି। ଯେହେତୁ ୬ଜଣ ରାଜ୍ୟସଭା ସଦସ୍ୟ-ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅନୁଭବ ମହାନ୍ତି, ପ୍ରତାପ ଦେବ, ଅଚ୍ୟୁତ ସାମନ୍ତ ଏବଂ ସରୋଜିନୀ ହେମ୍ୱ୍ରମ ନିର୍ବାଚନ ଲଢୁଛନ୍ତି, ସେହେତୁ ସେମାନଙ୍କର ଜୟ ପରାଜୟ କିଛି ଆସନ ଖାଲି କରିପାରେ।
ମାତ୍ର ଏଭଳି ଭବିଷ୍ୟତ ପ୍ରଶ୍ନ ଉପରେ ନବୀନ ଅତି କମରେ ୧୨ଜଣରୁ ଅଧିକଙ୍କୁ ରାଜ୍ୟସଭା ଲୋଭ ଦେଖାଇସାରିଛନ୍ତି। ଯେଉଁମାନଙ୍କୁ ଟିକଟରୁ ବଞ୍ଚିତ କରାଯାଇଛି ସେମାନଙ୍କୁ ସେମାନଙ୍କର ଷ୍ଟାଟସ ଦେଖି ସାଧାରଣ ସମ୍ପାଦକ କିମ୍ୱା ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଉଛି। ସାଧାରଣ ସମ୍ପାଦକଙ୍କ ସଂଖ୍ୟା ଇତିମଧ୍ୟରେ ୨୦ ଟପିଗଲାଣି। ସମ୍ପାଦକ ଏବଂ ଉପସଭାପତି ପଦରେ ଏତେ ସଂଖ୍ୟାରେ ନିଯୁକ୍ତ ହେଲେଣି ଯେ, ସେମାନଙ୍କୁ ଗଣା ମଧ୍ୟ ଯାଇପାରିବ ନାହିଁ।
ଏଭଳି ଅସନ୍ତୁଷ୍ଟଙ୍କୁ ପଦପଦବୀ ଦେବା ଛଡା ନବୀନ ଅନେକଙ୍କୁ ନୂଆ ସରକାରରେ ନିଗମ ଅଧ୍ୟକ୍ଷ ଲୋଭ ମଧ୍ୟ ଦେଖାଇଛନ୍ତି। ଏସବୁ ଲୋଭ କାର୍ଯ୍ୟକାରୀ ହେବ ଯଦି ନବୀନ ସରକାର କ୍ଷମତା ବଜାଇ ରଖିପାରନ୍ତି। ଏବେ ବିଜେଡି ଭାରତୀୟ ଜନତା ପାର୍ଟି ଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ବିଜେଡିକୁ କେତୋଟି ଆସନ ମିଳୁଛି ତା ଉପରେ ସବୁକିଛି ନିର୍ଭର କରିବ । ଉଭୟ ଲୋକସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଚୟନକୁ ନେଇ ନବୀନ ଯେଉଁ ରିସ୍କ ଉଠାଇଛନ୍ତି, ତାହା ଯଦି ଫସର ଫାଟିଯାଏ, ତେବେ ଆହୁରି ମୁସ୍କିଲ ପରିସ୍ଥିତି ଭିତରକୁ ଠେଲି ହୋଇଯିବେ ନବୀନ।
ଅସନ୍ତୁଷ୍ଟଙ୍କୁ ଦଳୀୟ ପଦ ଦେଇ ସାମୟିକ ଭାବେ ଅସନ୍ତୋଷକୁ ଚାପିବା ପାଇଁ ନବୀନ ଚେଷ୍ଟା କରିଛନ୍ତି। ଏହା ସଫଳ କି ବିଫଳ, ତାହା ଫଳ ପ୍ରକାଶନ ପରେ ସ୍ପଷ୍ଟ ହୋଇଯିବ।
ଏଥର ନବୀନ ଦଳର ଛାଗୁଆ ସଂଗଠନର କୌଣସି ନେତା କିମ୍ୱା ନେତ୍ରୀଙ୍କୁ ଦଳୀୟ ଟିକଟ ଦେଇନାହାଁନ୍ତି। ଆଶା କରାଯାଉଥିଲା ବିଜେଡିର ମୁଖପାତ୍ରମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ଦୁଇଜଣ ନିଶ୍ଚୟ ଟିକଟ ପାଇବେ। ସେହିପରି ଶ୍ରମିକ ସଂଗଠନର ମୁଖ୍ୟ ସୁବାସ ସିଂ ଟିକଟ ପାଇବେ ବୋଲି ମନେ କରାଯାଉଥିଲା। କିନ୍ତୁ ତାଙ୍କର ଏହି ଆଶା ପୂରଣ ହୋଇନାହିଁ। ମହିଳା ବିଜୁ ମହିଳା ମୋର୍ଚ୍ଚା, ଯୁବମୋର୍ଚ୍ଚା କିମ୍ୱା ଛାତ୍ର ବିଜୁ ଜନତା ଦଳରୁ କାହାରିକୁ ଟିକଟ ଦିଆଯାଇନାହିଁ।
ବିଜୁ ଜନତା ଦଳକୁ ଯେଉଁମାନେ ଟିକଟ ଲୋଭରେ ଆସିଥିଲେ, ସେମାନେ ଅତିବେଶୀରେ ସାଧାରଣ ସମ୍ପାଦକ ପଦରେ ସନ୍ତୁଷ୍ଟ ହୋଇଛନ୍ତି। ଏଠାରେ ଆଉ ଏକ ଉଦାହରଣ ଦେବା ଠିକ ହେବ। ଗତଥର ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଥିଲେ ଶଶୀ କୁମାର ସାହୁ। ଏଥର ତାଙ୍କୁ ବିଜେପି ଟିକଟ ଦବ ନାହିଁ ବୋଲି ଜାଣିବା ପରେ ବିଜେଡିରୁ ଲଢିବା ପାଇଁ ଲବି କରି ଆସିଥିଲେ ଦଳକୁ। ଶଶୀଙ୍କ ମିଶ୍ରଣ ପାଇଁ ଏକ ବ୍ୟୟବହୁଳ ସମାବେଶ ଆୟୋଜନ କରାଯାଇଥିଲା। କିନ୍ତୁ ଟିକଟ ମିଳିଲା ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କୁ। ଶଶୀ ଲଢିବାର ସୁଯୋଗ ପାଇଲେ ନାହିଁ। ତେଣୁ ତାଙ୍କୁ ରାଜ୍ୟ ସମ୍ପାଦକ ପଦରେ ନିଯୁକ୍ତି ଦେଲେ ନବୀନ ପଟ୍ଟନାୟକ।
ଜଣେ ବିଧାୟକ ଟିକଟ ଆଶାୟୀଙ୍କୁ ଶେଷରେ ସନ୍ତୁଷ୍ଟ ହେବାକୁ ପଡିଲା ସମ୍ପାଦକ ପଦବୀରେ। ସମ୍ପାଦକଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ, କୌଣସି ଜଣେ ସମ୍ପାଦକ ଅନ୍ୟ ସମ୍ପାଦକଙ୍କ ନାମ ମଧ୍ୟ କହିପାରିବେ ନାହିଁ। ଏହି ସମ୍ପାଦକ ବା ସାଧାରଣ ସମ୍ପାଦକ ପଦବୀ ଅସନ୍ତୁଷ୍ଟଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ସନ୍ତୁଷ୍ଟ କରିପାରେ। କିନ୍ତୁ ସେମାନଙ୍କର ସମର୍ଥକମାନେ ସନ୍ତୁଷ୍ଟ ହେବେ କି?
ଏପ୍ରିଲ ୨୯ ତାରିଖ ପରେ କିଏ ସମ୍ପାଦକ ବା କିଏ ସମ୍ପାଦକ ନୁହଁନ୍ତି, ତାହା ମୂଲ୍ୟହୀନ ହୋଇଯିବ। ପୁଣି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଯେଉଁମାନଙ୍କୁ କେବଳ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଥିଲା, ସେମାନେ ଏହି ପଦପଦବୀକୁ ବଜାଇ ରଖିପାରିବେ କି?
ଶାସକ ଦଳ ଯେଉଁ ଢଙ୍ଗରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଇଚାଲିଛି, ତାହା ପ୍ରମାଣିତ କରୁଛି ଯେ, ଦଳୀୟ ଅସନ୍ତୋଷ କେତେ ତଳକୁ ଚାଲିଗଲାଣି। ନହେଲେ ଏତେ ସଂଖ୍ୟକ ନେତାଙ୍କୁ ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯାଉନଥାନ୍ତା।
ଏଠାରେ ଆଉ ଏକ ଉଦାହରଣ ଦିଆଯିବା ସମୀଚିନ ହେବ। ଡ. ହୁସେନ ରବି ଗାନ୍ଧୀ ଦଳର ବହୁ ପୁରୁଖା ନେତା। କିନ୍ତୁ କେବେ ତାଙ୍କୁ ଦଳ ଲୋଡିନଥିଲା ଏହି ୧୦ ବର୍ଷ ଭିତରେ। ଏପରିକି ତାଙ୍କୁ ପୂର୍ବରୁ ତାଙ୍କରି ଦଳର ନେତାମାନେ ଆକ୍ରମଣ କରିଥିଲେ ହେଁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନବୀନ ଗ୍ରହଣ କରିନଥିଲେ। ହୁସେନ ପ୍ରାୟତଃ ଅଲୋଡ଼ା ହୋଇଯାଇଥିଲେ ଦଳ ଭିତରେ। କିନ୍ତୁ ଏବେ ନିର୍ବାଚନ ପାଇଁ ତାଙ୍କୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ସକାଶେ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି। ଏହାଦ୍ୱାରା ତାଙ୍କର ସ୍ୱାଭିମାନ କେତେ ସଂରକ୍ଷିତ ହୋଇଥିବ ତାହା ସେ ଜାଣିଥିବେ।
ଏମିତି ପ୍ରାର୍ଥୀ ଚୟନ ହୋଇଛି ବିଜେଡିରେ, କେବଳ ଅସନ୍ତୋଷକୁ ଚାପିବା ପାଇଁ ପ୍ରତିଦିନ ସଭାପତି ନବୀନ
ପଟ୍ଟନାୟକ ପୁଳାପୁଳା ନିଯୁକ୍ତି ଦେଇ ଚାଲିଛନ୍ତି ପଦପଦବୀରେ। କିନ୍ତୁ ଏହା ସମସ୍ୟାର ସମାଧାନ କରିପାରିବ କି? ଏହାର ଉତ୍ତର ପାଇବା ପାଇଁ ଫଳ ପ୍ରକାଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।