କୋଭିଡ୍‌ ପରିସ୍ଥିତିରେ ସ୍ଵାସ୍ଥ୍ୟ ସଚିବଙ୍କ ବଦଳି

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ରାଜ୍ୟ କରୋନା ମହାମାରୀ ଭଳି ସ୍ଵାସ୍ଥ୍ୟ ସଙ୍କଟରେ ଲଢ଼ୁଥିବା ବେଳେ ଖୋଦ୍ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ସେ ଏଣିକି ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ତିନଜଣ ପ୍ରମୁଖ ସଚିବ ପାହ୍ୟା ଆଇଏଏସ୍‌ ଅଧିକାରୀଙ୍କ ପଦବୀରେ ଅଦଳବଦଳ କରିଛନ୍ତି।  ଏହି ଦଦଳ ତାଲିକାରେ ନିକଟରେ ଡେପ୍ୟୁଟେସନ୍‌ରୁ ଫେରିଥିବା ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ମଧ୍ୟ ସାମିଲ୍‌ ରହିଛନ୍ତି। ତାଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ସାଧାରଣ ପ୍ରଶାସନ ବିଭାଗରେ ସ୍ଵତନ୍ତ୍ର ଦାୟିତ୍ଵ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଓଏଚ୍‌ପିସିର ସିଏମ୍‌ଡି ଦାୟିତ୍ଵ ତୁଲାଉଥିବା ୧୯୯୫ ବ୍ୟାଚ୍‌ ଆଇଏଏସ୍‌  ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅଣାଯାଇଛି। ସେ ଏହି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ଵ ତୁଲାଇବେ।

Leave a Reply

Your email address will not be published. Required fields are marked *